ଜଳୁଛି ଭାରତ

ଭୁବନେଶ୍ୱର: ପ୍ରଚଣ୍ଡ ଖରାକୁ ଅସହ୍ୟ ଗରମ । ତାତିରେ କଲବଲ ହେଉଛନ୍ତି ଲୋକେ । ୯ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗଲାଣି ଶତାଧିକ ଲୋକଙ୍କ ଜୀବନ । ରେଡ ଆଲର୍ଟରେ ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ, ଜମ୍ମୁ, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ବିହାର ଓ ଝାଡଖଣ୍ଡ । ଅସହ୍ୟ ତାତି ଯୋଗୁଁ ଉତ୍ତରପ୍ରଦେଶରେ ମୃତୁ୍ୟ ସଂଖ୍ୟା ୧୭୦ରେ ପହଞ୍ଚିଛି । କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି। ଗାଜିପୁର, ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ଘଟିଛି।

ବୁନ୍ଦେଲଖଣ୍ଡ ଓ କାନପୁର ଡିଭିଜନରେ ସ୍ଥିତି ଆହୁରି ଭୟଙ୍କର। ଏଠାରେ ୧୦୦ ଜଣ ପ୍ରାଣ ହରାଇଥିଲେ। କାନପୁରରେ ସର୍ବାଧିକ ୨୬, ହମିରପୁରରେ ୧୯, ଚିତ୍ରକୁଟରେ ୧୪, ଫତେପୁରରେ ୧୩, ମହୋବାରେ ୧୨, ବାନ୍ଦା ଓ ଓରାଇୟାରେ ୬ ଜଣ ଲେଖାଏଁ, ଜାଲୌନରେ ୩ ଏବଂ ଫରୁଖାବାଦରେ ଜଣେ ପ୍ରାଣ ହରାଇଛନ୍ତି। ସେହିପରି ପ୍ରୟାଗରାଜରେ ୮, କୌଶାମ୍ବିରେ ୫, ପ୍ରତାପଗଡ଼ରେ ୨ ଜଣଙ୍କର ଗ୍ରୀଷ୍ମ ପ୍ରବାହ ରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସେହିପରି ବିହାରରେ ଲୁ ଯୋଗୁଁ ୧୭ ଜଣଙ୍କର ମୃତୁ୍ୟ ହୋଇଛି । ତାପମାତ୍ରା ବୃଦ୍ଧି ଯୋଗୁଁ ବିମାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରୀକ ତ୍ରୁଟି ପାଇଁ ପ୍ରାୟ ୩ଘଣ୍ଟା ବିଳମ୍ବ ହୋଇଥିଲା । ଯାନ୍ତ୍ରୀକ ତ୍ରୁଟିର ମୂଳ କାରଣ ହେଉଛି ଭୂମିର ତାପମାତ୍ରା ବୃଦ୍ଧି । ଏହାରୁ ଭିତରେ ଦିଲ୍ଲୀରେ ଜଳ ସଙ୍କଟ ମଧ୍ୟ ଦେଖାଦେଇଛି । ତେବେ ମୌସୁମୀ ଆସିବା ପରେ ହିଁ ଗରମରୁ ପ୍ରକୃତ ମୁକ୍ତି ମିଳିବ । ମୌସୁମୀ ଦିଲ୍ଲୀରେ ପହଞ୍ଚିବାକୁ ୧୨ଦିନରୁ ଅଧିକ ସମୟ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।