ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାକୁ ଇଂଟିଗ୍ରେଟେଡ୍ ବିଏଡ୍ ସିଟ୍ ଶୂନ
ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁସାରେ ୨୦୨୬-୨୭ ଶିକ୍ଷାବର୍ଷରୁ …..
ଭଦ୍ରକ: ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁସାରେ ୨୦୨୬-୨୭ ଶିକ୍ଷାବର୍ଷରୁ ଇଂଟିଗ୍ରେଟେଡ୍ ବିଏଡ୍ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଓଡ଼ିଶାର ୧୮ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ନ୍ୟାସ୍ନାଲ୍ କାଉନ୍ସିଲ୍ ଫର୍ ଟିଚର୍ ଏଜୁକେସନ୍ (ଏନ୍ସିଟିଇ) ମାନ୍ୟତା ମିଳିଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମୋଟ ୧୮୫୦ଟି ଇଂଟିଗ୍ରେଟେଡ ବିଏଡ ସିଟ୍ ମିଳିଥିବା ବେଳେ ଭଦ୍ରକ ଜିଲ୍ଲାର କୌଣସି ସରକାରୀ ଶିକ୍ଷାନୁଷ୍ଠାନକୁ ଏହି ପାଠ୍ୟକ୍ରମ ପାଇଁ ସୁଯୋଗ ନାହିଁ। ଏପରିକି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏହି ପାଠ୍ୟକ୍ରମ ଦିଆଯାଉ ନାହିଁ।
ଭଦ୍ରକ ହେଉଛି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଜିଲ୍ଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଥାଇ ନିଜ ଜିଲ୍ଲାକୁ ଇଂଟିଗ୍ରେଟେଡ୍ ବିଏଡ୍ ସିଟ୍ ନମିଳିବା ପରିତାପର ବିଷୟ ହୋଇଛି। ଭଦ୍ରକ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ଏଭଳି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ଉଚିତ ନୁହଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ମତ ପୋଷଣ କରିଛନ୍ତି। କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ସମ୍ପର୍କ ଅତି ଉତମ ରହିଛି। ଏଭଳି ଭଲ ସମ୍ପର୍କ ଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ନିଜ ଜିଲ୍ଲା ପାଇଁ ୧୦୦ କିମ୍ବା ୨୦୦ ବିଏଡ୍ ସିଟ୍ ଆଣିପାରିଲେ ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରୁଛନ୍ତି।
ଭଦ୍ରକ ଜିଲ୍ଲାକୁ ବିଜେଡି ସବୁକ୍ଷେତ୍ରରେ ଅଣଦେଖା କରୁଥିଲା ଏବେ ବିଜେପି ମଧ୍ୟ ଅଣଦେଖା କରିବା ଆରମ୍ଭ କରିଛି। ଭଦ୍ରକରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟ ସଭା ସାଂସଦ ଅଛନ୍ତି ମନମୋହନ ସାମଲ। ଓଡ଼ିଶାରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଇଂଟିଗ୍ରେଟେଡ୍ ବିଏସ୍ସି ବିଏଡ୍, ବିଏ ବିଏଡ୍ ଏବଂ ବିକମ୍ ବିଏଡ୍ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଇପାରିବ। ଭଦ୍ରକ ଜିଲ୍ଲାରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।
ଏହି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବ। ଛାତ୍ରଛାତ୍ରୀମାନେ ନିଜସ୍ୱ ଅର୍ଥରେ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ। ଏଥିନିମନ୍ତେ ବାର୍ଷିକ ୪୦ରୁ ୪୫ ହଜାର ଟଙ୍କା ଫି ଧାର୍ଯ୍ୟ କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଏହି ପାଠ୍ୟକ୍ରମକୁ ନିୟମିତ କରିବାକୁ ଦାବି ହୋଇଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ଫି ହ୍ରାସ ହୋଇପାରିବା ସହ ବିଏଡ୍ ପ୍ରତି ଅଧିକ ଆଗ୍ରହ ବୃଦ୍ଧି ପାଇବ।
ରାଜ୍ୟର ୭ ସରକାରୀ ବିଶ୍ୱବିଦ୍ୟାଳୟ ସମେତ ୮ଟି ସରକାରୀ ମହାବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ, ଆଇଆଇଟି, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତଥା ଏନ୍ସିଇଆରଟି ସଂଚାଳିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନରେ ଇଂଟିଗ୍ରେଟେଡ୍ ବିଏଡ୍ରେ ପାଠ୍ୟକ୍ରମ ଖୋଲିବାକୁ ମାନ୍ୟତା ମିଳିଛି।
ଦ୍ୱାଦଶ ପଢ଼ିସାରି ଥିବା ଛାତ୍ରଛାତ୍ରୀ ଏପ୍ରିଲ ୧୭ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚାରିବର୍ଷିଆ ଇଂଟିଗ୍ରେଟେଡ୍ ବିଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ବୋଲି ଜଣାପଡିଛି।