ବେସରକାରୀ ସ୍କୁଲ ଫି ଛାଡ ନେଇ ଆସନ୍ତା ୨୩ରେ ହେବ ହାଇକୋର୍ଟଙ୍କ ଶୁଣାଣି

ଭୁବନେଶ୍ୱର (ଏସ୍ ନ୍ୟୁଜ) : ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡିଲେ ରାଜ୍ୟ ସରକାର । କିଛିଦିନ ପୂର୍ବେ ସ୍କୁଲ ଫି ଛାଡ ପ୍ରସଙ୍ଗକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସରକାରଙ୍କୁ କହିଥିଲେ ହାଇକୋର୍ଟ । ଏ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଏ ନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ଆସନ୍ତା ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସୂଚନା ଥାଉକି, କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଥିଲା ଯେ, ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀମାନେ ଦରମା ନେଉଛନ୍ତି । ଆନୁସଙ୍ଗିକ ଖର୍ଚ୍ଚ ବି ବନ୍ଦ ହୋଇ ନାହିଁ। ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ । ତେଣୁ ଅବିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ ।