ବୁଲାଗୋରୁଙ୍କୁ ରାସ୍ତା ଉପରୁ ଘଉଡ଼ାଇବା କାମ ଏବେ ପୁଲିସର

ଜାତୀୟ ରାଜପଥ ଉପରେ ଘଟୁଥିବା ଦୁର୍ଘଟଣା ପ୍ରତି ଉଦବେଗ ପ୍ରକାଶ କରିଛନ୍ତି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ଜୀବନ ଚାଲିଯାଉଛି ।

ଏଥିପାଇଁ ବେଆଇନ ଗାଡ଼ି ପାର୍କିଂ ସାଙ୍ଗକୁ ବୁଲାଗୋରୁଙ୍କୁ ଦାୟୀ କରାଯାଉଛି । ସଂକୀର୍ଣ୍ଣ ରାସ୍ତା ହେଉ କି ଜାତୀୟ ରାଜପଥ । ସଡ଼କ କଡ଼ରେ ଗାଡ଼ି ଠିଆ କରିି ହାଟ ବଜାର  ଅବା ସାଙ୍ଗସୁଖ କରିବା ଏକ ଅଭ୍ୟାସରେ ପଡ଼ିଗଲାଣି ।

ଆରେ ବାବୁ ରାସ୍ତାକଡ଼ରେ ଗାଡ଼ି ଠିଆ କରି ଅନ୍ୟମାନଙ୍କୁ ଅସୁବିଧାରେ କାହିଁକି ପକାଉଛ? ଟିପ୍ପଣୀରେ ଯୁବଗୋଷ୍ଠୀ ଅଚାନକ ଲାଲ ହୋଇଯାନ୍ତି ।

ଓଡ଼ିଶାରେ ବେପରୁଆ ଗାଡ଼ିଚାଳନା, ବେଆଇନ ଗାଡ଼ି ପାର୍କିଂ କାରଣରୁ ଦୁର୍ଘଟଣା ହାର ବୃଦ୍ଧି ପାଉଛି । ଯାଜପୁର, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲା ଭିତର ଦେଇ ଯାଇଛି ୧୬ ନମ୍ବର ଜାତୀୟ ରାଜପଥ । ଏହି ଜାତୀୟ ରାଜପଥ ଉପରେ ଦୈନିକ ୬/୭ଟି ଦୁର୍ଘଟଣା ଘଟିବା ଥୟ ।

ଦୁର୍ଘଟଣାର କାରଣ ଅଣ୍ଡାଳିଲା ବେଳକୁ ବେଆଇନ ପାର୍କିଂ ଅବା ବୁଲାଗୋରୁ ଧସେଇ ପଶିଆସିବେ ।

ବେଆଇନ ପାର୍କିଂ ତାଲିକାର ଆଗରେ ରହିବେ ଭାରୀ ଯାନ ଚାଳକ । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହଶହ ଟ୍ରକ ଛିଡ଼ା ହେବା ଫଳରେ ହାଲୁକା ଯାନ ଚଳାଚଳରେ ବାଧା ଉପୁଜିଛି ।

ବୁଲାଗୋରୁଙ୍କ କାରଣରୁ କେବଳ ଲୋକମାନେ ମରୁଛନ୍ତି କହିବା ଭୁଲ ହେବ । ରାତିରେ ବୁଲାଗୋରୁ ରାସ୍ତା ଉପରେ ବିକ୍ଷିପ୍ତ ଭାବେ ଶୋଇ ରହୁଥିବାରୁ ଅଧିକାଂଶ ମାଲବାହୀ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଉଛି । ଫଳରେ ଜାତୀୟ ରାଜପଥ ଉପରେ ଗୋରୁ ମରିବା ଦେହସୁହା ହୋଇଗଲାଣି ।

ବୁଲାଗୋରୁଙ୍କୁ ରାସ୍ତା ଉପରୁ ହଟାଇବା କାମରେ ଏବେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ । ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସାଙ୍ଗକୁ ବୁଲାଗୋରୁଙ୍କୁ ରାସ୍ତା ଉପରୁ ଘଉଡ଼ାଇବା କାମ ଏବେ ପୁଲିସ ବାବୁଙ୍କର ।

ତା’ ସହିତ ବେଆଇନ ପାର୍କିଂ ହଟାଇବା ଦାୟିତ୍ୱରେ ମଧ୍ୟ ପୁଲିସ ବାବୁଙ୍କୁ ଲଗାଇ ଦିଆଯାଇଛି ।