୨୩ ରୁ ଖୋଲିବ ଶ୍ରୀମନ୍ଦିର-shaksi news

ପୁରୀ( ଏସ୍ ନ୍ୟୁଜ ):୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି। ଏଥିସହ ୨୩ ତାରିଖରୁ ହିଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।୩ ତାରିଖ ଠାରୁ ପ୍ରଥମ ସପ୍ତାହରେ ପ୍ରତି ଦିନ ୫୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ଦର୍ଶନ ସୁରୁଖୁରୁରେ ଚାଲିଲେ ମାସେ ବା ୨ ମାସ ମଧ୍ୟରେ ଅଧିକ ଦର୍ଶନାର୍ଥୀଙ୍କୁ ଅନୁମତି ମିଳିପାରିବ ବୋଲି ସୂଚନା ମିଳିଛି ।

ମନ୍ଦିର ଖୋଲିବାର ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀ ଦର୍ଶନ ସୁବିଧା ପାଇବେ। ସକାଳୁ ସନ୍ଧ୍ୟା ଯାଏଁ ବିଭିନ୍ନ ୱାର୍ଡବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ । ୱାର୍ଡୱାରୀ ଦର୍ଶନ ପାଇଁ ସମୟ ବଣ୍ଟନ ମଧ୍ୟ କରାଯିବ। ୩ ତାରିଖ ପରେ ସମସ୍ତ ଦର୍ଶନାର୍ଥୀଙ୍କୁ ବଡ ଠାକୁରଙ୍କ ଦର୍ଶନ ସୁବିଧା ମିଳିବ । ତେବେ ଏହି ସମୟରେ କରୋନା ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ଭକ୍ତ ମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନଥିଲେ ମହାପ୍ରଭୁଙ୍କୁ ଦର୍ଶନ ହେବନାହିଁ। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ସେହିପରି ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ। ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାନିଟାଇଜର ଲଗାଇବା ଜରୁରୀ କରାଯିବ। ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ସାନିଟାଇଜର ଦିଆଯିବ। ୬୫ ବର୍ଷରୁ ଅଧିକ ବୟସ୍କ ଓ ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯିବ।