ପାରାଦୀପ ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୫୦ ଦୋକାନ
ପାରାଦୀପ ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ……
ଜଗତସିଂହପୁର: ପାରାଦୀପ ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫୦ରୁ ଅଧିକ ଦୋକାନ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ୫ଟି ଦମକଳ ନିୟୋଜିତ । ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ପରିବା ଦୋକାନ ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା, କମ୍ପୁ୍ୟଟର ତରାଜୁ ଓ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏହା ପାରାଦୀପ ବଣିକ ସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର ହୋଇଥିବା ବେଳେ ସମସ୍ତେ ଏହି ଦୋକାନଗୁଡିକ ଉପରେ ନିର୍ଭର କରିଥାନ୍ତି ।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଶାଧୂପ କିମ୍ବା ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ବ୍ୟବସାୟୀମାନେ କେବଳ ବାଉଁଶ ଓ ଜରିପାଲରେ ଦୋକାନ ଗୁଡିକରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି । ପୂର୍ବରୁ ଏହିଭଳି ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ପୋଡି ଯାଇଥିବା ବେଳେ ଭେଣ୍ଡିଂ ଜୋନ୍ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଛି । ମାତ୍ର ଭେଣ୍ଡିଂ ଜୋନ ନିର୍ମାଣ କରାଯାଉନି ।