ଭୁବନେଶ୍ୱର: ଟିକିଏ ବର୍ଷାହେଲେ ଭୁବନେଶ୍ୱରର ମୁଖ୍ୟ ରାସ୍ତାଗୁଡ଼ିକରେ ପାଣି ଜମୁଛି । ଭୁବନେଶ୍ୱରିଆଙ୍କ ହାତ ପାଆନ୍ତାରେ ସବୁ ସୁବିଧା ଉପଲବ୍ଧ କରିବା ପାଇଁ ରାଜ୍ୟ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ବର୍ଷାଜଳ ନିଷ୍କାସନ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇନି । ମାତ୍ର ବର୍ଷାଜଳରେ ରାଜଧାନୀ ବାସିନ୍ଦା ସନ୍ତରଣ କରିବାର ଯାବତୀୟ ସୁବିଧା କରାଯାଇଛି । କୌଣସି କାମରେ ଘରୁ ବାହାରିଥିବା ଲୋକଟି ରାସ୍ତାରେ ଜମିଥିବା ବର୍ଷାଜଳରେ ଫସିଯିବା ଅତି ମାମୁଲି ହୋଇଗଲାଣି । ସହର କଳେବର ବୃଦ୍ଧି ପାଉଛି । ସହର ବାସିନ୍ଦାଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାସ୍ତା ତିଆରି ଚାଲିଛି । ମାତ୍ର ରାସ୍ତା ଉପରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ । ଏ କି ପ୍ରକାର ମାଷ୍ଟର ପ୍ଲାନ?
ଏହି ସମସ୍ୟା ଏକାମ୍ର-ଭୁବନେଶ୍ୱର, ମଧ୍ୟ-ଭୁବନେଶ୍ୱର ଓ ଉତର ଭୁବନେଶ୍ୱର ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳୁଛି । କ୍ଷମତାସୀନ ବିଜେଡି ସରକାରଙ୍କର ଏଭଳି ଦୂରଦୃଷ୍ଟି ଅଭାବକୁ ଦେଖିଲା ପରେ ଭୁବନେଶ୍ୱର ଭୋଟରମାନେ ବିଜେଡିକୁ ଭୋଟ ଦେବାକୁ ପଛଘୁଂଚା ଦେଲେଣି । ଭୁବନେଶ୍ୱର ଲୋକସଭା ଆସନଟିକୁ ବିଜେପି ପ୍ରତିନିଧିତ୍ୱ କଲେ କ’ଣ ହେବ ତା’ ଭିତରେ ରହିଥିବା ବିଧାନସଭା ଆସନଗୁଡ଼ିକ ବିଜେଡି ପକେଟକୁ ଯାଇଛି । ତେଣୁ ବିଜେଡି-ବିଜେପି କଳିର ପରିଣାମ ରାଜଧାନୀ ବାସିନ୍ଦାଙ୍କୁ ଭୋଗିବାକୁ ପଡୁଛି ବୋଲି କଟାକ୍ଷ କରିଛନ୍ତି ରାଷ୍ଟ୍ରୀୟ ପରିବର୍ତନ ଦଳ ମୁଖପାତ୍ର ସୀତାରାମ ବେହେରା ।
ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଲେ । ୨୪ ଘଂଟିଆ ବିଜୁଳି ସେବା, ହାଇଫାଇ ନେଟ୍ ୱାର୍କ, ଓସାରିଆ ଓ ଚିକ୍କଣିଆ ରାସ୍ତାକୁ ବର୍ଷାଜଳ ଲହଡ଼ିରୁ ମୁକ୍ତ କରିବା ଭଳି ଯୋଜନା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା । ମାତ୍ର ଗୋଟିଏ ହେଲେ ଯୋଜନାର ସୁଫଳ ଦେଖିବାକୁ ମିଳିଲାନି । ସବୁ ଯୋଜନାର କଦର୍ଯ୍ୟ ଚେହେରା ଜଳଜଳ ଦିଶିଲାଣି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ବିଚାରଧାରାରେ ସବୁକିଛି ଧିରେଧିରେ ବଦଳିବ । ରାତି ପାହିବା ମାତ୍ରେ କିଛି ବଦଳି ପାରିବନି । କିନ୍ତୁ ଭୋଟ ମାଗିଲା ବେଳେ ସୁଲୋଚନା ଧିରପାଣି ପଥର କାଟେ କଥା କହିବା କଥା କହି ନଥିଲେ । ହଉ ଏବେ ରାଜଧାନୀ ଭୋଟରମାନେ ସୁଲୋଚନାଙ୍କ ଧିରପାଣି ପଥର କାଟେ ମନ୍ତ୍ରକୁ ବୁଝିଗଲେଣି ।
ଆଉ ବିଜେଡିକୁ ଭୋଟ ଦେବାର ନାହିଁ । ବହୁତ ବର୍ଷ ଭୋଟ ପାଇଗଲେଣି । ରାଜ୍ୟ ଭୋଟରଙ୍କୁ ଝୁଣି ସାରିଲେଣି । ଏଣିକି ଅନ୍ୟ ରାଜନୈତିକ ଦଳକୁ ଭୋଟ ଦେଇ କ୍ଷମତାସୀନ କରିବା ଉଚିତ । ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ହେଉ କି ଟାଟା ପାୱାର ସଂସ୍ଥା ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ ଯୋଜନା ହେଉ, ନିଲଠା ନବୀନ ପଟ୍ଟନାୟକ ସବୁକିଛି ଏଡ଼ାଇ ଯାଉଛନ୍ତି । ନିଲଠା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାରକୁ ସୁନାପିଲା କହିଛନ୍ତି । ରାଜ୍ୟର ବିଜୁଳି ଉପଭୋକ୍ତାମାନେ ପ୍ରକୃତରେ ସବୁ ନାଟର ଗୋବର୍ଦ୍ଧନ । ସେମାନେ ମିଳିମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇଥିଲେ, ଟାଟା ପାୱାର ଠିକ ବାଟରେ ଚାଲନ୍ତା ।
ଇସ୍କନ ମନ୍ଦିର ସାମ୍ନା ହେଉ ଅବା ଜୟଦେବ ବିହାର ଓଭରବ୍ରିଜ । ବାଣୀ ବିହାର ହେଉ ବା ନନ୍ଦନକାନନ ଆଡ଼କୁ ଯାଇଥିବା ରାସ୍ତା । ଯୋଉଆଡ଼କୁ ଯିବ, ସେଆଡେ଼ ବର୍ଷାଜଳର ହିନସ୍ତା ଭୋଗୁଛନ୍ତି ଲୋକମାନେ । ଅସରାଏ ବର୍ଷା ହେଲେ ରାଜଧାନୀ ଭାସୁଛି । ଯାନବାହନ ଚଳାଚଳରେ ଘୋର ଅସୁବିଧା ହେଉଛି । ବର୍ଷାଜଳରେ ଫସି ବ୍ୟାଟେରୀ ଚାଳିତ ଗାଡ଼ିଗୁଡ଼ିକ ଅଟକି ଯାଉଛି । ଆରୋହୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୂଛି । ଆଣ୍ଠୁଏ ବର୍ଷାପାଣି ଭିତରେ ଅଚଳପ୍ରାୟ ଗାଡ଼ିକୁ ପେଲି ପେଲି ଅତିକ୍ରମ କରିବା ଏକ ନିଆରା ଅନୁଭୂତି ।
ସେହିପରି ବର୍ଷା ସମୟରେ ଟ୍ରାଫିକ ସମସ୍ୟା ବଢ଼ିଯାଉଛି । ମୁଖ୍ୟ ଛକଗୁଡ଼ିକରେ ଠିଆ ହୋଇଥିବା ଟ୍ରାଫିକ ପୁଲିସ ସବୁକିଛି ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି । ରାସ୍ତା ନିର୍ମାଣଜନିତ ତ୍ରୁଟିକୁ ସରକାର ମାନିବାକୁ ରାଜି ନୁହନ୍ତି ।