ଧର୍ମଶାଳା( ଏସ୍ ନ୍ୟୁଜ ): ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁଲିସ୍ ରାତିରେ ଉଦ୍ଧାର କରିଛି। ଅପହରଣକାରୀ ଚୋରମୁହାଁ ଗ୍ରାମର ଅବଦୁଲ ସେହମତ୍ ଖାଁକୁ ଧରିବାରେ ସକ୍ଷମ ହୋଇଛି। ଉଭୟଙ୍କୁ କଟକ (ଜଗତପୁର) ଅଞ୍ଚଳରୁ ଧରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ଗତ ୫ ତାରିଖରେ ଅପହୃତ ହୋଇଥିବା ବେଳେ ଗତକାଲି ଛାତ୍ରୀଙ୍କ ଆକୁଳ ନିବେଦନ ସମ୍ବଳିତ ଅଡିଓ ଭାଇରାଲ ହେବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଏକାଧିକ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆ ଯାଇଥିଲା, ଯାହା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ବିଭିନ୍ନ ସୂଚନାକୁ ଆଧାର କରି ପୁଲିସ୍ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଉଭୟଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।
ଏଠାରେ ପ୍ରକାଶ ଥାଉକି, ଅପହୃତ ଛାତ୍ରୀ ଅପହରଣକାରୀଙ୍କ କବଳରୁ ଉଦ୍ଧାର ପାଇଁ ନିଜ ମା’ଙ୍କୁ ଫୋନ୍ କରିଥିଲେ। ବାପାଙ୍କୁ କହି ମତେ ଉଦ୍ଧାର କର; ନହେଲେ ସେମାନେ ମୋତେ ମାରି ଫିଙ୍ଗିଦେବେ ବୋଲି ଫୋନରେ ଆକୁଳ ନିବେଦନ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଯୁବକ ଅବଦୁଲ ସେହମତ୍ ଖାଁର ବାପାଙ୍କୁ ପୁଲିସ ଗିରଫ କରି ତନାଘନା ଚଳାଇଛି।
ତେବେ ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବତୀଙ୍କ ସହିତ ପଡ଼ୋଶୀ ଚୋରମୁହାଁ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅବଦୁଲ ସେହମତ୍ ଖାଁ ଓରଫ ବବି ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲା। ଗତ ୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ନିଜର ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଯାଇଥିବା ବେଳେ ଅଭିଯୁକ୍ତ ସେହମତ୍ ଖାଁ ତାଙ୍କୁ ଅପହରଣ କରିନେଇଥିଲା। ପୁଲିସରେ ଜଣାଇଲେ ତାଙ୍କୁ ତଥା ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାର ଭୟ ଦେଖାଇଥିଲା। ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମୁସଲମାନ ରୀତିନୀତିରେ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରିଥିଲା। ଝିଅଠାରୁ ଫୋନ୍ ଯୋଗେ ଜାଣିବା ପରେ ତାଙ୍କ ପିତା ଧର୍ମଶାଳା ଥାନାରେ ଏ ସଂପର୍କରେ ଏତଲା ଦେଇଥିଲେ।
ଅନ୍ୟପଟେ ଏତଲା ପରେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡ଼ଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ବବିର ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରିଛି। ଜେଏମଏଫସି ଜାମିନ ଆବେଦନର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।