କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ଅନ୍ତର୍ଗତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତୁରୁମୁଙ୍ଗା ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଭାବେ ପାଳିତ ଜନ୍ମାଷ୍ଟମୀ ଧର୍ମ, ସତ୍ୟ ଓ ନ୍ୟାୟର ବାର୍ତ୍ତା ବହନ କରେ। ଅଧର୍ମର ବିନାଶ ଓ ଧର୍ମର ପ୍ରତିଷ୍ଠା ପାଇଁ ଶ୍ରୀକୃଷ୍ଣଙ୍କ ଅବତାର ହୋଇଥିବା ବିଶ୍ୱାସ କରାଯାଏ।
ଉତ୍ସବରେ ମୁଖ୍ୟ ଅତିଥି ପ୍ରାକ୍ତନ ସଭାପତି କୁଳମଣି ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ପାଲା ଗାୟକ ଉମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଜନ୍ମାଷ୍ଟମୀର ମହତ୍ତ୍ୱ ବର୍ଣ୍ଣନା କରି ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ, ଗୀତାର କର୍ମଯୋଗ ଓ ଧର୍ମପଥ ସମ୍ପର୍କରେ ଆଲୋକପାତ କରିବା ସହିତ ଶିଶୁମାନେ କିପରି ଶ୍ରୀକୃଷ୍ଣଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସତ୍ୟ, ନିଷ୍ଠା ଓ ନୀତିର ପଥରେ ଆଗେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ ।
ଏହିକାର୍ଯ୍ୟକ୍ରମର ସଭାପତି ତଥା ବିଦ୍ୟାଳୟର ସମ୍ପାଦକ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଓ ଉପସଭାପତି ସତ୍ୟନାରାୟଣ ସାହୁ , ସହ -ସମ୍ପାଦକ ସଞ୍ଜୟ କୁମାର ସାହୁ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ଦେବକୀ ମହାନ୍ତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଏହି ଅବସରରେ ପ୍ରଥମରୁ ତୃତୀୟ ଶ୍ରେଣୀର ଶିଶୁମାନେ ଆକର୍ଷଣୀୟ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତା ସହ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିଶୁମାନଙ୍କ ଉତ୍ସାହରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା ।
ଶେଷରେ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟା ଓ ଶିଶୁମାନଙ୍କ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। କେନ୍ଦୁଝରରୁ ଅଞ୍ଜନ ରଣାଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।