ଯାତ୍ରା ପାର୍ଟି ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ନିୟନ୍ତ୍ରଣ ହରାଇ ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଗୋଟିଏ ଟ୍ରକ ଓଲଟି ପଡ଼ିବାରୁ ୬ ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁତର ୧୨ ଜଣଙ୍କୁ ପ୍ରଥମେ ବାଙ୍ଗିରିପୋଷି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ସେମାନଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବୁଧବାର ସକାଳେ ଟ୍ରକରେ ଯାତ୍ରା ପାର୍ଟିର ସରଞ୍ଜାମ ସମେତ ୧୨ ଜଣ ଯାତ୍ରା କର୍ମଚାରୀ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ ।  ଦିନ ପ୍ରାୟ ୧୧ଟାରେ ବାଙ୍ଗିରିପୋଷି ଘାଟି ରାସ୍ତାର ଶେଷ ମୋଡ଼ରେ ଟ୍ରକଟି ନିୟନ୍ତ୍ରଣ ହରାଇଥିଲା । ରାସ୍ତାକଡ଼ରୁ ପ୍ରାୟ ୨୦ ଫୁଟ ତଳକୁ ଗଳି ପଡ଼ିଲା ଟ୍ରକ । ଫଳରେ ଯାତ୍ରା ସରଂଜାମ ତଳେ ଚାପି ହୋଇ ଯାଇଥିଲେ କର୍ମଚାରୀଗଣ । ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ଚିକିତ୍ସାଧୀନଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ।