ଚଳିତ ବର୍ଷ ହେବ ୧୯୭୧ ମସିହା ଭଳି ରଥଯାତ୍ରା: ଜୁଲାଇ ୭ ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ଚଳିତ ବର୍ଷ ହେବ ୧୯୭୧ ମସିହା ଭଳି ରଥଯାତ୍ରା । ୧୯୭୧ ମସିହାରେ ଯେଉଁଭଳି ନୀତିକାନ୍ତି କରାଯାଇଥିଲା ୨୦୨୪ରେ ମଧ୍ୟ ସେହିଭଳି ଭାବେ ନୀତିକାନ୍ତି କରାଯିବ । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ପାଳନ ହେବ । ୧୯୭୧ ମସିହା ଅପେକ୍ଷା ନୀତିକୁ ଆହୁରୀ ଶୀଘ୍ର କରାଯିବ ଏବଂ ରଥ ଟଣାଯିବ । ଏନେଇ ଶ୍ରୀମନ୍ଦିର ନୀତି ସବକମିଟି ବୈଠକ ଓ ଛତିଶା ନିଯୋଗ ବୈଠକ ଆଲୋଚନା ହୋଇଛି ।

ଜୁଲାଇ ୭ ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦିନ ନେତ୍ରୋତ୍ସବ ବନ୍ଦପନା ଭୋର ୪ଟାରେ ହେବ । ସକାଳ ସାଢେ ୭ଟା ସୁଦ୍ଧା ସେନାପଟା ଲାଗି, ଦିନ ୧୧ଟା ସୁଦ୍ଧା ରଥ ପ୍ରତିଷ୍ଠା, ଦିନ ୧.୧୦ ସୁଦ୍ଧା ପହଣ୍ଡି ଆରମ୍ଭ ହୋଇ ସାଢେ ୨ଟା ସୁଦ୍ଧା ଶେଷ କରିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଛେରା ପହଁରା ଓ ୫ଟା ସୁଦ୍ଧା ରଥଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରିଚାଳନା କମିଟିର ସେବାୟତ ସଦସ୍ୟ, ବରିଷ୍ଠ ଦଇତାପତି ଓ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତମାନେ ଯୋଗ ଦେଇଥିଲେ ।

୨୬ ତାରିଖରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ହେବ । ସେହିଦିନ ଏହି ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ଉପରେ ଅନୁମୋଦନ ଦିଆଯିବ । ୭ତାରିଖରେ ୧୩ ଦିନିଆ ପକ୍ଷ ପଡୁଥିବାରୁ ଗୋଟିଏ ଦିନରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମାପ୍ତ କରି ଶ୍ରୀଗୁଣ୍ଡିଚା କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।