କଳିଙ୍ଗନଗର ଶିଳ୍ପ ଅଭିବୃଦ୍ଧି ସମୀକ୍ଷା

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ …

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ, ବୁଧବାର, ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳ ଗସ୍ତ କରିଛନ୍ତି। ଏହାସହ ଶିଳ୍ପାଂଚଳର ଶିଳ୍ପାୟନର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରଥମେ ଆଳିଜଙ୍ଗାଠାରେ ପ୍ରାୟ ୬୦୦ ଏକର ଜମି ପରିଦର୍ଶନ କରିଥିଲେ। ପରେ ଶିଳ୍ପ ସମ୍ପ୍ରସାରଣ ପାଇଁ ସୁକୁଟିଝରା ଅଂଚଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଅମ୍ବର କର, କଳିଙ୍ଗନଗର ଏଡିଏମ୍‌ ସପନ କୁମାର ନନ୍ଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀମତୀ ପାଢୀ ଟାଟା ଷ୍ଟିଲ୍‌ର ଡିବି ପ୍ଲଟ୍‌ ନଂ-୨ ପରିଦର୍ଶନ କରିଥିଲେ। ଜିଲ୍ଲାରେ ଚାଲିଥିବା ସହରାଂଚଳ ବିକାଶ ପ୍ରକଳ୍ପ ଏବଂ ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ବିଶେଷ କରି ସହରାଂଚଳ ଭିତିଭୂମିକୁ ସୁଦୃଢ଼ କରିବା, ସେବା ପ୍ରଦାନ ଏବଂ ନୂତନ ଶିଳ୍ପ ସହରଗୁଡ଼ିକରେ ଜୀବନଧାରଣର ମାନ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତର ଏକ ଅଂଶ ଭାବରେ, ସେ କେଏନଡିଏ ସମ୍ମିଳନୀ କକ୍ଷରେ କଳିଙ୍ଗନଗର ଜାତୀୟ ଶିଳ୍ପ କରିଡର କେଏନ୍‌ଆଇସିର ବିକାଶ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଆଲୋଚନାରେ ଜିଲ୍ଲାପାଳ, ଇଡକୋ ଏବଂ ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (ଡିଆଇପିଏ) ର ଅଧିକାରୀମାନେ ସାମିଲ ହୋଇଥିଲେ। ଏଥିରେ ଜମି ବଂଟନ ପ୍ରକ୍ରିୟାକୁ ସରଳ କରିବା, ଭିତିଭୂମି ଯୋଗାଇଦେବା ଏବଂ ଶିଳ୍ପ ଅଭିବୃଦ୍ଧି ସହିତ ଆବଶ୍ୟକୀୟ ସହରୀ ସେବାଗୁଡ଼ିକର ସମନ୍ୱୟ ରକ୍ଷା କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।