ସରକାରୀ ଜାଗାରେ ଲୀଳା କରୁଛନ୍ତି କଳ୍କୀ ଅବତାର

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ପ୍ରତିଷ୍ଠିତ ବୈକୁଣ୍ଠ ଧାମ ଆଶ୍ରମଟି ସରକାରୀ ଜାଗାରେ ତିଆରି ହୋଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ କରିଛି । ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର ଭାବେ ସଜାଇ ତାଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ସଂପୃକ୍ତ ନାବାଳକଙ୍କ ବାପା ସବୁ କାରସାଦି ରଚିଥିବା ଅଭିଯୋଗ କ୍ରମେ ଦୃଢ଼ୀଭୂତ ହେବାକୁ ଲାଗିଛି ।

ସୂଚନା ପାଇ ବିଡିଏ କର୍ମଚାରୀମାନେ ସଂପୃକ୍ତ ସ୍ଥାନରେ ପହଞ୍ଚି ନିର୍ମିତ ଆଶ୍ରମର ପ୍ରାଥମିକ ଆକଳନ କରିଛନ୍ତି ।

ସୂଚନା ମୁତାବକ ଘାଟିକିଆ ଅଞ୍ଚଳରେ ପ୍ଲଟ ନମ୍ବର ୯୦୩୭ ଓ ୯୦୩୮ ଅନ୍ତର୍ଗତ ୧୪୦ ଡିସିମିଲ ଜମିରେ ତିଆରି ହୋଇଛି ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜାଗାରୁ ଆଶ୍ରମକୁ ହଟାଇବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।

ମାତ୍ର ଆମ ପ୍ରସଙ୍ଗ ହେଉଛି, ଏତେଦିନ ଧରି ସରକାରୀ ଜାଗାରେ ବୈକୁଣ୍ଠ ଧାମ ଆଶ୍ରମଟି ରହିଲା କିପରି? କଳ୍‌କୀ ଅବତାରଙ୍କ ପ୍ରତି ଦୁର୍ବଳତା ପ୍ରକାଶ କରି ଆଶ୍ରମକୁ ପୁଳାପୁଳା ଚାନ୍ଦା ଅଜାଡ଼ି ଦେଇଥିବା ଅନ୍ଧ ଲୋକମାନେ ଆଦୌ ଖଟିଖିଆ ପରିବାର ହୋଇ ନଥିବେ । ସରକାରୀ ଜାଗାଟିକୁ ମାଡ଼ିବସି ଆଶ୍ରମ ତିଆରି କରିଥିବା ଲୋକଟିକୁ ବଦନାମ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ଦାୟୀ କରା ନଯିବ କାହିଁକି?

ସରକାରୀ ଜମି ଜଗିବା ଦାୟିତ୍ୱ କାହାର? ସଂପୃକ୍ତ ଅଞ୍ଚଳର ଆରଆଇ, ତହସିଲଦାରଙ୍କୁ ଦାୟୀ କରା ନଯିବ କାହିଁକି? ସାଧାରଣ ପ୍ରଶାସନ ଅବା ବିଡିଏକୁ ଦାୟୀ କରା ନଯିବ କାହିଁକି? ନେଡିଗୁଡ଼ କହୁଣୀକୁ ବୋହିଯିବା ପରେ ସାଧାରଣ ପ୍ରଶାସନ ଓ ବିଡିଏ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା କେତେଦୂର ସ୍ୱାଗତଯୋଗ୍ୟ, ଆପଣମାନେ ବିଚାର କରନ୍ତୁ ।