ଅକ୍ଟୋବର ୧୦ରୁ କାର୍ତିକ ବ୍ରତ ଆରମ୍ଭ

ପୁରୀ: ଅକ୍ଟୋବର ୧୦ ତାରିଖରୁ ପ୍ରସିଦ୍ଧ ରାଇ ଦାମୋଦର ପୂଜା ଆରମ୍ଭ ହେଉଛି । ସାଧାରଣତଃ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ରହି ଏହି ପୂଜା କରିଥାନ୍ତି । ଏଥର ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ, ବଗଳା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବେ । ହବିଷ୍ୟାଳିମାନଙ୍କ ସୁରକ୍ଷା, ଠାକୁର ଦର୍ଶନ, ଭଜନ କୀର୍ତନ ଓ ମହାପ୍ରସାଦ ସେବନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏ ଯାବତ୍‌ ୧୯୨୦ ହବିଷ୍ୟାଳିମାନେ ନାମ ଦରଜ କରିଛନ୍ତି । ହବିଷ୍ୟାଳିମାନଙ୍କ ହାତ ପାଆନ୍ତାରେ ସବୁ ସୁବିଧା ପହଂଚାଇବା ପାଇଁ ଦକ୍ଷ କର୍ମଚାରୀଙ୍କୁ ମୁତୟନ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀରେ କୌଣସି ହବିଷ୍ୟାଳି ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି; ସେଥିପ୍ରତି ଯତ୍ନବାନ୍‌ ରହିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ କାମ କରୁଛନ୍ତି । ୬ ତାରିଖରେ ମହାପ୍ରଭୁଙ୍କର ରାଇଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ୧୦ ତାରିଖରେ ହବିଷ୍ୟାଳିମାନେ ସଂକଳ୍ପ କରିବା ପରେ କାର୍ତିକ ବ୍ରତ ଆରମ୍ଭ କରିବେ । କାର୍ତିକ ହବିଷ୍ୟାଳିମାନଙ୍କୁ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ କରିବାକୁ ପଡ଼ିଥିଲା ।