ଗହୀର ମଥାରେ ୩୩ ଫୁଟର ମୃତ ତିମି

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳୀ ମାଉଥ ନିକଟରେ ବିରାଟକାୟ ମୃତ ତିମି ଲାଗିଛି। ଆଜି ସକାଳେ ବନ କର୍ମଚାରୀମାନେ କୂଳରେ ମୃତ ତିମି ଲାଗିଥିବା ଦେଖି ଡ଼ିଏଫଓଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଫିସର କପିଳେନ୍ଦ୍ର ପ୍ରଧାନ, ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରକାଶ କୁମାର ଜେନା ଟିମ ସହିତ ବୋଟରେ ଯାଇ ଘଟଣାସ୍ଥଳରେ ପହଂଚିଥିଲେ। ମୃତ ତିମିଟି ନୀଳ ତିମି ପ୍ରଜାତିର ହୋଇଥିବା ବେଳେ ତାହା ୪/୫ ବର୍ଷ ବୟସର ବୋଲି ଜଣାପଡିଛି। ମୃତ ତିମିଟି ମାଈ ବୋଲି ଜଣାପଡିଛି। ତିମିଟି ୧୨/୧୫ ଦିନ ତଳୁ ସମୁଦ୍ର ମଧ୍ୟରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଏତେ ଜୋରରେ ତିମିଟି ଗନ୍ଧ କରୁଛି ପାଖକୁ ମଧ୍ୟ ପଶିହେଉନି। ତିମିର ୫୦ ପ୍ରତିଶତ ଅଂଶ ପଚିଯାଇଛି। ପବନ ଓ ଜୁଆରରେ ତିମିଟି କୂଳରେ ଲାଗିଥିବା ଜଣାପଡିଛି। ୫ ବର୍ଷ ତଳେ ଚିଂଚିରି ମାଉଥ ଓ କଂଟିଆଖାଇ ନିକଟରେ ଦୁଇଟି ବିରାଟକାୟ ତିମିର ମୃତଦେହ ଲାଗିଥିଲା। ଗହୀରମଥାରେ ନୀଳ ତିମି ସଂଖ୍ୟା ଅଧିକ ରହିଛି। ଟ୍ରଲର ମାଡ଼ରେ କିମ୍ବା ଅନ୍ୟ କୌଣସି କାରଣରୁ ତିମିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।