ପାଟଣା ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେଂଦେଇପଶି ଅଞ୍ଚଳରେ ମଦ ଓ ମଦୁଆଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ଏହାର ପ୍ରତିବାଦରେ ଆଜି କେଂଦେଇପଶି ପଞ୍ଚାୟତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ଅସ୍ଥାୟୀ ଘରେ ନିଆଁ ଲଗାଇବା ସହିତ ନାନା ନାରାବାଜି କରିଥିଲେ।ଶୋଭାଯାତ୍ରାରେ ବାହାରି ମହିଳାମାନେ ମଦ ବିରୋଧୀ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଗ୍ରାମ ପରିକ୍ରମା କରିଥିଲେ। କେଂଦେଇପଶି ଛକରୁ ବାହାରି ମହିଳାମାନେ କାଶୀପୁର, ଖୁଣ୍ଟାପଡ଼ା ଦେଇ ହନୁମାନ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଲେ। ପରେ ବେଆଇନ ମଦ ବିକ୍ରି ହେଉଥିବା ଅସ୍ଥାୟୀ ଘର ଗୁଡ଼ିକରେ ନିଆଁ ଲଗେଇ ଦେଇଥିଲେ। ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ହେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି।

ମଦ କାରବାର ବୃଦ୍ଧି ପାଉଥିବାରୁ ଅଞ୍ଚଳର ଯୁବ ସମାଜ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି। ଅନେକ ପରିବାର ବରବାଦ ହେଇଯାଉଛି। ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଯୁବଗୋଷ୍ଠୀ ମଦ ପିଇ ଅଶୋଭନୀୟ ଆଚରଣ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ମହିଳା ଗୋଷ୍ଠୀର ଶତାଧିକ ମହିଳାଙ୍କ ସମେତ ଲୋକ ପ୍ରତିନିଧି ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ମହିଳାମାନେ ମଦ କାରବାର ବନ୍ଦ କରିବା ପାଇଁ କେଂଦେଇପଶି ସରପଞ୍ଚ ଓ ସ୍ଥାନୀୟ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହି ଅଞ୍ଚଳରେ ମଦ କାରବାର ବନ୍ଦ କରା ନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି। ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।