ଧରଣୀଧର ମେଡିକାଲ କଲେଜ-ରାଇକଳା ଢିପାସାହି ରାସ୍ତା ପାଇବ ନବରୂପ

କେନ୍ଦୁଝର ସଦର: ଧରଣୀଧର ମେଡିକାଲ କଲେଜରୁ ସେଣ୍ଡକାପ ଦେଇ ରାଇକଳା ଢିପାସାହିକୁ ସଂଯୋଗ କରୁଥିବା ରାସ୍ତାଟି ଏକ ଚଳଚଂଚଳ ରାସ୍ତା । ପ୍ରତିଦିନ ସେହି ରାସ୍ତା ଦେଇ ଚମ୍ପୁଆ, ଯୋଡ଼ା, ଝୁମ୍ପୁରା, ରାଇକଳା, କାଉଁରୀକଳା, ଗୋବର୍ଦ୍ଧନ, ଶଙ୍କିରୀ, ବୋଦାପୋଳଶା ଆଦି ପଂଚାୟତ ବାସିନ୍ଦା ଯିବାଆସିବା କରନ୍ତି ।

ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ, ପଂଚାୟତିରାଜ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜଙ୍ଗଲ ବିଭାଗ ଅଧୀନରେ ଥିବାରୁ ରାସ୍ତାର ନବକଳେବର ହୋଇପାରୁନି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ସଂଗଠନ, ସ୍ଥାନୀୟ ରାଜନେତା, ସମାଜସେବୀ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମ କ୍ରମେ ବିଧିବଦ୍ଧ ଭାବେ ଧରଣୀଧର ମେଡିକାଲ କଲେଜ ନିକଟରୁ ରାଇକଳା ପର୍ଯ୍ୟନ୍ତ ପ୍ରାୟ ୨୨ କିଲୋମିଟର ରାସ୍ତାଟି ପୂର୍ତ ବିଭାଗ ଅଧିନକୁ ଯାଇଛି । ଖୁବ୍ ଶୀଘ୍ର ରାସ୍ତା କାମ ଆରମ୍ଭ କରାଯିବ ବୋଲି ପୂର୍ତ ବିଭାଗ କହିଛି । ରାସ୍ତାଟି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ଆବଶ୍ୟକ ଡ୍ରେନେଜ୍‌, ରାସ୍ତା ଆଲୋକୀକରଣ, ଟ୍ରାଫିକ୍ ସଂକେତ, ବ୍ୟାରିକେଡ୍ ଆଦି ନିର୍ମାଣ କରାଯିବ ବୋଲି ଶୁଣିବାକୁ ମିଳୁଛି ।