ପାର୍ବଣରେ ପରିବାରକୁ ଏକାଠି କଲା ‘ଡିଏମ୍ଏଫ୍ ଆଶ୍ରୟ’

ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ

କେନ୍ଦୁଝର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କେନ୍ଦୁଝରଙ୍କ ମିଳିତ ସହଯୋଗରେ କାର୍ଯ୍ୟ କରୁଥିବା “ଡିଏମ୍ଏଫ୍ ଆଶ୍ରୟ” ଟିମ୍ ଦ୍ୱାରା ଦୀର୍ଘ ଆଠ ବର୍ଷ ଧରି ପରିବାରଠୁ ଅଲଗା ହୋଇଥିବା ଢେଙ୍କାନାଳ ଅଞ୍ଚଳର ଜଣେ ଯୁବକ ଶେଷରେ ନିଜ ପରିବାର ସହ ମିଶି ପାରିଛନ୍ତି। ହଜି ଯାଇଥିବା ପୁଅକୁ ଫେରିପାଇ ଯୁବକଙ୍କ ମା ଏବଂ ସମ୍ପୂର୍ଣ୍ଣ ପରିବାର ଖୁସିରେ ଆତ୍ମହରା ହୋଇଛନ୍ତି।

ସୂଚନାଯୋଗ୍ୟ, ମାନସିକ ରୋଗରେ ପୀଡ଼ିତ ଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଣ୍ଟିମିଲି ଗ୍ରାମପଞ୍ଚାୟତର ସ୍ଵର୍ଗତ ସପନ ନାଏକଙ୍କ ଏକମାତ୍ର ପୁଅ ରାମ(ଛଦ୍ମନାମ) ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ୨୦୧୬ରେ ସେ ମେଡ଼ିକାଲ ପରିସରରୁ ନିରୁଦିଷ୍ଟ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏକମାତ୍ର ପୁଅ ଯେ ଆଉ କେବେ ଫେରିବ, ଏନେଇ ସମସ୍ତେ ଆଶା ଛାଡ଼ିଦେଇଥିଲେ।

  • ୨୦୧୬ ମସିହାରେ କଟକ ବଡ଼ ମେଡ଼ିକାଲରୁ ନିରୁଦିଷ୍ଟ ହୋଇଥିଲେ
  • ବାଂଶପାଳର ଘଞ୍ଚ ଜଙ୍ଗଲରେ କାଟୁଥିଲେ ‘ବଣ ମଣିଷ’ ଜୀବନ
  • ‘ଡିଏମ୍ଏଫ୍ ଆଶ୍ରୟ’ ଦେଲା ନୂଆ ଜୀବନ, ପରିବାର ସହ ଯୋଡ଼ିଲା

ନିକଟରେ ବାଂଶପାଳ ଅଞ୍ଚଳରୁ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଯେ କି ଦୀର୍ଘ ଦୁଇ ବର୍ଷ ଧରି ସ୍ଥାନୀୟ ଜଙ୍ଗଲରେ ରହି ଆସୁଥିଲେ, ତାଙ୍କୁ ଉଦ୍ଧାର କରିବା ପାଇଁ ଡିଏମ୍ଏଫ୍ ଆଶ୍ରୟ ଟିମ୍ ପାଖକୁ ଖବର ଆସିଥିଲା। ଜୁନ୍ ୮ ତାରିଖରେ ଆଶ୍ରୟ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ରାମକୁ ‘ତାର୍ଜନ’ ବୋଲି ଡାକୁଥିଲେ। ଯିଏ ଯାହା ଦେଉଥିଲା ସେ ଖାଉଥିଲା। ଏପରିକି ବନ୍ୟ ଜୀବଜନ୍ତୁଙ୍କ ଗହଣରେ ଖରା ବର୍ଷାକୁ ଖାତିର ନକରି ସେ ସେହି ଘଞ୍ଚ ଜଙ୍ଗଲରେ ବାସ କରୁଥିଲା ଏବଂ ରାତିରେ ମଧ୍ୟ ଜଙ୍ଗଲରେ ଶୋଉଥିଲା।

ଉଦ୍ଧାର ପରେ ଡିଏମ୍ଏଫ୍ ଆଶ୍ରୟର ସଦସ୍ୟ ମାନେ ତାଙ୍କୁ ପ୍ରଥମେ ନୟାକୋଟ ଥାନା ନେବା ସହ ସେଠାରେ ଆଶୁ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଡିଏମ୍ଏଫ୍ ଆଶ୍ରୟକୁ ନିଆଯାଇଥିଲା। ସଠିକ୍ ଯତ୍ନ ଏବଂ ଚିକିତ୍ସା ଯୋଗୁଁ ସେ ଧିରେ ଧିରେ ସୁସ୍ଥ ହେବାସହ ନିଜ ପରିବାର ଏବଂ ଘର ଠିକଣା ମନେ ପକାଇ କହିଥିଲେ। ଏହାପରେ ଢେଙ୍କାନାଳ ବାଲିମି ଥାନା ସହ ସମ୍ପର୍କ କରି ତାଙ୍କର ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ ଡିଏମ୍ଏଫ୍ ଆଶ୍ରୟର ସଦସ୍ୟ। ଶେଷରେ ଖବର ପାଇ ଶୁକ୍ରବାର ଦିନ ରାମଙ୍କୁ ନେବାପାଇଁ ତାଙ୍କ ପରିବାର ଲୋକ ଆସି ପହଞ୍ଚିଥିଲେ। ମା’ ପୁଅକୁ ଚିହ୍ନିବା ପରେ ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

୧୭ ମାସ ପୂର୍ବରୁ ଆରମ୍ଭ ହୋଇଥିବା ‘ଡିଏମ୍ଏଫ୍ ଆଶ୍ରୟ’ ଏଯାଏଁ ରାଜ୍ୟ ଭିତରର ୪୦ ଜଣଙ୍କୁ ଓ ରାଜ୍ୟ ବାହାରର ୩ ଜଣଙ୍କୁ ସୁସ୍ଥ ଅବସ୍ଥାରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିସାରିଲାଣି। କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ମାନସିକ ରୋଗ ବିଷୟରେ ମଧ୍ୟ ଏହା ସଚେତନତା ସୃଷ୍ଟି କରୁଛି। ଇତି ମଧ୍ୟରେ ୨୬୦ଟି ଗ୍ରାମରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ପ୍ରକଳ୍ପ ସଂଯୋଜକ ଜଟାଧାରୀ ସାହୁ ସୂଚନା ଦେଇଛନ୍ତି।