ଚମ୍ପୁଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ୨ ଗୁରୁତର

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ କାହ୍ନୁସାହି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ଏବଂ ଡାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ମୃତକ ଦ୍ୱୟ ହେଲେ ମଙ୍ଗଳପୁର ଅଞ୍ଚଳର ସୁବାସ ଗିରି ଏବଂ ମିରିଗିସିଙ୍ଗା ଅଞ୍ଚଳର ରାଜେଶ ମୁଣ୍ଡା। ସେହିପରି ମଙ୍ଗଳପୁରର ରଇବୁ ମୁଣ୍ଡା ଏବଂ ମିରିଗିସିଙ୍ଗାର ରେଗୁଲାର୍ ଗିରି ଗୁରୁତର ଆହତ ହୋଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଉଭୟ ବାଇକ୍‌ରେ ଦୁଇଜଣ ଲେଖାଏଁ ଆରୋହୀ ଥିଲେ। ସୁବାସ ଗିରି ଓ ରଇବୁ ମୁଣ୍ଡା ଏକ ବାଇକ୍‌ ଯୋଗେ ଚିମଳା ପଟୁ ଫେରୁଥିବା ବେଳେ ଅପରପକ୍ଷରେ ରାଜେଶ ମୁଣ୍ଡା ଓ ରେଗୁଲାର୍ ମୁଣ୍ଡା ଅନ୍ୟ ଏକ ବାଇକ୍‌ରେ ଚମ୍ପୁଆ ପଟୁ ଯାଉଥିଲେ। ଜାମୁଦଲକ କାହ୍ନୁସାହି ନିକଟରେ ଉଭୟ ବାଇକ୍ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସୁବାସ ଗିରିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅନ୍ୟ ତିନି ଆହତଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ ମଧ୍ୟ ସେଠାରେ ରାଜେଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ୍  ।