ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ଦାବିରେ ଧାରଣା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବଦଳି ଦାବିରେ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଡିଇଓଙ୍କ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡ଼ି ରହିଛି। କୌଣସି କାର୍ଯ୍ୟ ଠିକ୍‌ ସମୟରେ ହେଉନଥିବା ନେଇ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ‌ଏହାର ପ୍ରତିବାଦରେ ଡିଇଓଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଆଜି ଶିକ୍ଷକମାନେ ଦାବି କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଓଷ୍ଟାର ଅଭିଯୋଗ ଅନୁଯାୟୀ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନ୍‌ସନ୍‌ ପେପର ଠିକ୍ ସମୟରେ ପଠାଯାଉ ନାହିଁ। ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଠିକ୍ ସମୟରେ ମିଳୁନି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଦୋନ୍ନତି ମିଳୁ ନାହିଁ। ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ଆର୍‌ଏସିପି, ଏମ୍‌ଏସିପି, ଇନ୍‌କ୍ରିମେଣ୍ଟ, ଜିପିଏଫ୍ ଠିକ୍ ସମୟରେ ପ୍ରଦାନ କରିବା, ଯୋଗ୍ୟତା ଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ବର୍ଦ୍ଧିତ ହାରରେ ଦରମା ପ୍ରଦାନ ପାଇଁ ଅନୁମୋଦନ, ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ସେବା ପୁସ୍ତିକା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହଜିବା ପରେ ଏଥିପାଇଁ ଯେଉଁ ସମସ୍ୟା ହେଉଛି ତାହାକୁ ତୁରନ୍ତ ସମାଧାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଦାବି ପୂରଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥଲା। ତେଣୁ ବାଧ୍ୟ ହୋଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଓଷ୍ଟା ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି। ଏଥିପାଇଁ ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟୀ କରିବା ତାଙ୍କ ବଦଳି ଦାବି କରି ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଡିଇଓ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ୧୫ଦିନ ମଧ୍ୟରେ ଦାବି ପୂରଣ କରିବା ଲାଗି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ୧୫ଦିନ ମଧ୍ୟରେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଘେରାଉରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ସଂଜୟ ବସନ୍ତ ଚକ୍ର, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଟା ଚିନ୍ତାମଣି ଜେନା, ପ୍ରସନ୍ନ କୁମାର ରଥ, ଶାନ୍ତନୁ କୁମାର ମିଶ୍ର, କ୍ଷୀରୋଦ କୁମାର ରାଉତ, ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ, ଓଷ୍ଟା ଜିଲ୍ଲା ସଭାପତି ରଘୁନାଥ ବେହେରା, ସମ୍ପାଦକ ପ୍ରଶାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ଦେଓ, ଉପସଭାପତି ପୁଷ୍ପାଞ୍ଜଳି ମିଶ୍ର, ମନ୍ମଥ ମହାନ୍ତ, ରଞ୍ଜନ କୁମାର ଘଡ଼େଇ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ହଜାରୀ, ଯୁଗ୍ମ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, କାର୍ଯ୍ୟକାରୀ କମିଟି ସଦସ୍ୟ ଜୟପ୍ରକାଶ ରାଉତ, ବିଷ୍ଣୁଚରଣ ସାମଲ, ମୁରଲୀଧର ମହାକୁଡ଼, ଡମ୍ବରୁଧର ମହାନ୍ତ, ନିରାକରଣ ମହାପାତ୍ର, ହରେକୃଷ୍ଣ ରାଉତ, ଶିବାନନ୍ଦ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଘେରାଉରେ ସାମିଲ ହୋଇଥିଲେ।