ବେଆଇନ୍ ମହୁଲି ମଦ ଜବତ,ବିପୁଳ ପୋଚ ନଷ୍ଟ

ଗୁଆଲି: କେନ୍ଦୁଝର ଜିଲ୍ଲା, ରୁଗୁଡ଼ିହି ଥାନାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଦେଶୀ ମହୁଲି ମଦ କାରବାର ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଭିତ୍ତିକରି ରୁଗୁଡ଼ିହି ପୁଲିସ ପକ୍ଷରୁ ବେଆଇନ୍ ମହୁଲି ମଦ ପ୍ରସ୍ତୁତ କରୁଥିବା ଆଡ୍ଡା ଗୁଡିକରେ ଚଢ଼ାଉ ଜାରି ରହିଥିବାବେଳେ ବୁଧବାର ଏବଂ ଗୁରୁବାର ୨ ଦିନରେ ମହୁଲି ମଦ ଜବତ ସହିତ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି ।

ରୁଗୁଡିହି ଥାନା ଅଧିକାରୀ ରବିଶଙ୍କର ବୈସା ଙ୍କ ନେତୃତ୍ୱରେ ୨ ଦିନ ଧରି ପୁଲିସ ଟିମ୍ କ୍ୟାମ୍ପ ହଟିଂ ଅଞ୍ଚଳରେ ଥିବା ବେଆଇନ୍ ମହୁଲି ମଦ ପ୍ରସ୍ତୁତି ଆଡ୍ଡା ଗୁଡିକରେ ଚଢ଼ାଉ ଜାରି ରଖିଛି । ମଙ୍ଗଳବାର ଏହି ଅଞ୍ଚଳରୁ ୨୦ ଲିଟର ରୁ ଅଧିକ ବେଆଇନ୍ ମହୁଲି ମଦ ଜବତ କରାଯାଇଥିବାବେଳେ ୧୧ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରାଯାଇଥିଲା । ସେହିପରି ବୁଧବାର ଉକ୍ତ ଅଞ୍ଚଳରେ ଚଢ଼ାଉ କରି ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ଚଢ଼ାଉ ବେଳେ ବେଆଇନ୍ ମହୁଲି ମଦ ପ୍ରସ୍ତୁତ କରୁଥିବା ଲୋକେ ଦୌଡ଼ି ପଳାଇଥିଲେ । ତେବେ ମହୁଲି ମଦ ରନ୍ଧା ହେଉଥିବା ଚୂଲି ଗୁଡିକୁ ଭାଙ୍ଗି ଦିଆଯାଇଥିବା ବିଭିନ୍ନ ଆସବାବ ପତ୍ର ମଧ୍ୟ ନଷ୍ଟ କରି ଦିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣୀ ବେହେରା,ଲାଓଲିନ ତିର୍କୀ, ସଞ୍ଜୟ ଗିରି ପ୍ରମୁଖ ପୁଲିସ ଅଧିକାରୀମାନେ ମଧ୍ୟ ଏହି ଚଢାଉରେ ସାମିଲ ଥିଲେ ।