କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକରେ ବିଭତ୍ସ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବାମେବାରୀ ଥାନା, ବସନ୍ତପୁର ମାଝୀ ସାହିରେ ବିଭତ୍ସ ହତ୍ୟା । କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ହତ୍ୟାକାରୀ । ମୃତକ ହେଲେ, ମାଝୀ ସାହିର ନାଣ୍ଡୁ ମୁଣ୍ଡା । ଅଭିଯୁକ୍ତ ଠୁବୁ ମାଝୀକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ୍ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ୍ । ସୂଚନା ଅନୁଯାୟୀ, ୧୫ ଦିନ ତଳେ, କୌଣସି ଏକ କାରଣକୁ ନେଇ ନାଣ୍ଡୁ ମୁଣ୍ଡା, ଠୁବୁ ମାଝୀର ମା’ଙ୍କୁ ଆକ୍ରମଣ କରିଥିଲା । ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ଠୁବୁ ମାଝୀ । ବଦଲା ନେବାପାଇଁ ସୁଯୋଗ ଖୋଜୁଥିଲା ସେ । ୩ ଦିନ ଧରି ନାଣ୍ଡୁକୁ ଖୋଜିବା ପରେ ଗତକାଲି ପାଇଥିଲା । ଉଭୟ ଗୋଟିଏ ଜାଗାରେ ହାଣ୍ଡିଆ ପିଇବା ପରେ ଅପରାହ୍ନ ସମୟରେ ନାଣ୍ଡୁକୁ ନିଜ ଘରକୁ ଡାକିନେଇଥିଲା ଠୁବୁ ମାଝୀ । ହେଲେ ତା’ର ମନ୍ଦ ଉଦ୍ଦେଶ୍ୟ ବୁଝି ପାରି ନ ଥିଲା ନାଣ୍ଡୁ । ସେଠାରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯୋଜନା ଅନୁଯାୟୀ ଏକ କଟୁରୀରେ ହାଣି ନାଣ୍ଡୁକୁ ନୃଶଂସ ଭାବେ ହତ୍ୟା କରିଥିଲା ଠୁବୁ ମାଝୀ । କଟୁରୀ ଚୋଟରେ ନାଣ୍ଡୁର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ହତ୍ୟାକାରୀ । ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ନେଇ ବାମେବାରୀ ପୋଲିସ୍ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ଛାନଭିନ ଆରମ୍ଭ କରିଛି । ହତ୍ୟାକାରୀ ଠୁବୁ ମାଝୀକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଚଳାଇଛି ପୋଲିସ୍ । ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।