ଖୁବ୍‌ ଶୀଘ୍ର ଖଡଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡା ହାଇସ୍ପିଡ୍‌ କରିଡର୍‌

ଖଡଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡା ଏକ୍ସପ୍ରେସ୍‌ ୱେ …..

ଭୁବନେଶ୍ୱର: ଖଡଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡା ଏକ୍ସପ୍ରେସ୍‌ ୱେ ତଥା ହାଇସ୍ପିଡ୍‌ କରିଡର ନିର୍ମାଣ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ରାଜ୍ୟ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ନୂତନ ଗ୍ରିନ୍‌ଫିଲ୍‌ଡ ହାଇସ୍ପିଡ୍‌ କରିଡର ନିର୍ମାଣ ନେଇ ପ୍ରସ୍ତାବିତ ନକ୍ସା, ଜିଲ୍ଲା, ଅର୍ଥନୈତିକ ଅଂଚଳ ଏବଂ ସହର ସଂଯୋଗୀକରଣ ଓ ଜମି ଅଧିଗ୍ରହଣ ଆଦି ବିଷୟରେ ଆଲୋଚନା ହୋଇଥିଲା।

ଓଡିଶା ରାଜ୍ୟ ମଧ୍ୟ ଦେଇ ମୋଟ ୫୨୨ କିଲୋମିଟର ଦୀର୍ଘ ଏହି ନୂଆ ଗ୍ରିନ୍‌ଫିଲ୍‌ଡ କରିଡର ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, କଟକ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଆଦି ୯ଟି ଜିଲ୍ଲାର ୨୭ଟି ସହରକୁ ସଂଯୋଗ କରିବ। ଏଥି ସହିତ ଏହି କରିଡର ରାଜ୍ୟର ଖଣିଜ ତଥା ଅର୍ଥନୈତିକ ଅଂଚଳକୁ ଯୋଗାଯୋଗ ସୁଦୃଢ଼ କରିବା ସହିତ ରାଜ୍ୟର ବିକାଶକୁ ଏକ ନୂଆ ଦିଗ ପ୍ରଦାନ କରିବ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଦେଇ ଯାଉଥିବା ୧୧୦୨ କିଲୋମିଟର ରାସ୍ତାରୁ ଓଡିଶାରେ ହେବାକୁ ଥିବା ୫୨୨ କିମି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହେବ।

ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୭ କିଲୋମିଟର ରାସ୍ତା ନିର୍ମିତ ହେବାକୁ ଥିବାବେଳେ ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେଉଁଝରରେ ୮୬ କିମି ଏବଂ ରାୟଗଡା ଜିଲ୍ଲାରେ ୫୩ କିମି ରାସ୍ତା ନିର୍ମିତ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍‌ ତଥା ରୋଡ୍‌ସ-୨) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡ୍‌ସ-୧) ଇଂ ଧ୍ୟାନଚାନ୍ଦ ନାୟକ, କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଆଂଚଳିକ ଅଧିକାରୀ ଶ୍ରୀ ସୁନୀଲ କୁମାର, ମୁଖ୍ୟ ଯନ୍ତ୍ରୀ (ରୋଡ୍‌ସ) ଇଂ ଶିବବ୍ରତ ତରିଆ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ) ଇଂ ନାରାୟଣ ପଟେଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।