ନବୀନବାବୁଙ୍କୁ ହଟାଇବ ଖୋଦ୍‌ ବିଜେଡି

ଗୋଟି ଚାଳନାକୁ ଅପେକ୍ଷା କର: ଏନ୍‌ୟୁବିସି……

ଭୁବନେଶ୍ୱର: ‘ମୁଁ ଯୋଉ ଲୋକକୁ ରାଜ୍ୟ ରାଜନୀତିକୁ ଆଣିବା ପାଇଁ ଉଦ୍ୟମ କରୁଛି; ସେ ରାଜି ହୋଇଗଲେ ନବୀନବାବୁଙ୍କୁ କ୍ଷମତାରୁ ହଟାଇବା ସହଜ ହୋଇଯିବ । ନବୀନବାବୁ ରୋମ ଓ ଦୁବାଇ ଗସ୍ତରେ ଯାଇ କୋଉମାନଙ୍କୁ ଭେଟିଛନ୍ତି । ସେମାନଙ୍କ ସହିତ କି’ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତରୁ ରାଜ୍ୟବାସୀ କେତେ ଫାଇଦା ପାଇବେ? ସେ ସଂପର୍କରେ ବିସ୍ତୃତ ରିପୋର୍ଟ ତିଆରି ଚାଲିଛି । ଉକ୍ତ ରିପୋର୍ଟକୁ ହାତରେ ଧରି ରାଜନୀତି ମଇଦାନକୁ ଆସିବୁ । ରାଜନୀତି କାହାକୁ କହନ୍ତି, ରାଜ୍ୟବାସୀଙ୍କୁ ଦେଖାଇବୁ । ବିଧାନସଭାରେ ବିଜେଡିର ୧୧୪ ବିଧାୟକ ଅଛନ୍ତି; ମାତ୍ର ଆମେ ଗୋଟି ଚଲାଇବୁ ତ ନବୀନବାବୁଙ୍କ ପଛରେ ଅତିବେଶିରେ ୧୨/୧୫ ଜଣ ବିଧାୟକ ରହିବେ ।’

ନବୀନବାବୁଙ୍କ ପାଣ୍ଡବ ହିଁ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ରାସ୍ତା ତିଆରି କରିଛନ୍ତି, ଆମର କିଛି କରିବାର ନାହିଁ ବୋଲି ଏନ୍‌ୟୁବିସି ନେତା ସୀତାରାମ ବେହେରା କହିଛନ୍ତି । ସାକ୍‌ସୀ ନ୍ୟୁଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ବିଜେଡିରେ ଗଣତନ୍ତ୍ର ବୋଲି କିଛି ନାହିଁ । ବିଜୁବାବୁଙ୍କ ଫଟୋ ଦେଖାଇ ନବୀନବାବୁ ରାଜ୍ୟବାସୀଙ୍କୁ ବିକାଶ ପାଠ ପଢ଼ାଉଛନ୍ତି । ରାଜ୍ୟବାସୀଙ୍କୁ ସବୁଦିନ ପାଇଁ ଅନ୍ଧାରରେ ରଖିପାରିବେନି ନବୀନବାବୁ । କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା । କଂଗ୍ରେସରେ କିଏ ଅଧ୍ୟକ୍ଷ ହେବେ, ତାହା କାହାକୁ ଅଛପା ନାହିଁ । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାହୁଲ ‘କଂଗ୍ରେସ ଯୋଡୋ’ ଯାତ୍ରା ଆରମ୍ଭ କରିଛନ୍ତି ।

ସଂସଦରେ ବସି ରାହୁଲଙ୍କ ଆଖି ମିଟିକା ମରା ଦୃଶ୍ୟ ଯେଉଁମାନେ ଟିଭି ପରଦାରେ ଦେଖିଥିବେ । ସେମାନେ ରାହୁଲଙ୍କୁ ନେତା ମାନିବାକୁ କେବେ ରାଜି ହେବେନି । କଂଗ୍ରେସକୁ ଯୋଡ଼ିବା ପାଇଁ ନୁହେଁ, ଦୁର୍ନୀତି କଳଙ୍କରୁ ନିଜ ପରିବାରକୁ ରକ୍ଷା କରିବା ପାଇଁ ରାହୁଲ ଅଭିଯାନ ଆରମ୍ଭ କରିଛନ୍ତି । ଦେଶର ବହୁ ରାଜ୍ୟରେ ବଂଶବାଦ ରାଜନୀତି ଚାଲିଛି । ଶତାବ୍ଦୀ ଶତାବ୍ଦୀ ଧରି ରାଜାରାଜୁଡ଼ା ଶାସନକୁ ବାଛି ନେଇଥିବା ଜନତା ଯେ ପର୍ଯ୍ୟନ୍ତ ଗଣତନ୍ତ୍ର ଶାସନର ପ୍ରକୃତ ଅର୍ଥ ବୁଝିନାହାନ୍ତି; ସେ ପର୍ଯ୍ୟନ୍ତ ବଂଶବାଦ ରାଜନୀତିକୁ ହଟାଇବା ସମ୍ଭବ ନୁହେଁ ।

ଲୋକପ୍ରିୟତା କାରଣରୁ ନବୀନବାବୁ ପାଂଚଥର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ଅଯୋଗ୍ୟ ବିରୋଧୀ ଦଳ କାରଣରୁ ଭୋଟରଙ୍କ ପାଖରେ ବିକଳ୍ପ କିଛି ନାହିଁ । ବାଧ୍ୟ ହୋଇ ବିଜେଡିକୁ ଭୋଟ ଦେଉଛନ୍ତି ଭୋଟରମାନେ । ବିଜେଡିକୁ ମୁକାବିଲା କରିବାର ଦକ୍ଷତା ବିଜେପି ଓ କଂଗ୍ରେସ ପାଖରେ ନାହିଁ । ୨୦୨୪ ନିର୍ବାଚନ ଆମ ସପକ୍ଷରେ ଯିବ । ସୀତାରାମଙ୍କ ମତରେ ଓଡ଼ିଶାର ୪୦ ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କ ହାତକୁ କାମ ଯୋଗାଇବାର ଦକ୍ଷତା ରଖିଥିବା ଲୋକଟିଏ ‘ଆମ ଜନତା ଦଳ’କୁ ହିଁ କ୍ଷମତାରେ ବସାଇପାରିବ ।