ଦାରୁଠେଙ୍ଗ ଅଂଚଳରୁ ବିରଳ ପ୍ରଜାତିର ଧଳା ନାଗ ଉଦ୍ଧାର

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟ ଦାରୁଠେଙ୍ଗ ପଂଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରୁ ଏକ ବିରଳ ପ୍ରଜାତିର ଧଳାନାଗଟିଏ ଉଦ୍ଧାର କରାଯାଇଛି ।

ଗୁରୁବାର ଦିନ ସକାଳେ ଭାସ୍କର ମୁଦୁଲିଙ୍କ ଘର ପଛପଟ ବଗିଚାଟିରେ ବିରାଟକାୟ ସାପଟିକୁ ଦେଖିବାକୁ ମିଳିଥିଲା ।

ଭାସ୍କରଙ୍କ ପରିବାର ସାପଟିକୁ ଦେଖି ବଡ଼ପାଟିରେ ଡାକ ପକାଇଥିଲେ । ଚାହୁଁ ଚାହୁଁ ପାଖ ପଡ଼ୋଶୀ ଭାସ୍କରଙ୍କ ବଗିଚାରେ ରୁଣ୍ଡ ହୋଇଗଲେ ।

ବିରାଟକାୟ ସାପ ହୋଇଥିବାରୁ ଲୋକଙ୍କ ଦୃଷ୍ଟି ଆଢୁଆଳରୁ ଲୁଚିବାକୁ ଉଦ୍ୟମ କରି ସାପଟି ବାରମ୍ବାର ବିଫଳ ହେଉଥିଲା । ଲୋକଙ୍କ ଆଗରେ ସାପଟି ଗୋଟିଏ ବେଙ୍ଗକୁ ପାଟିରେ ଧରିଲା ।

ସାଙ୍ଗେ ସାଙ୍ଗେ ସ୍ନେକ୍ ହେଲ୍ପ ଲାଇନକୁ ସୂଚନା ଦିଆଗଲା । ସାପ ଧରାଳିମାନେ ଠିକଣା ସମୟରେ ପହଂଚି ଗଲେ । ବେଶ ସତର୍କତାର ସହିତ ସାପଟିକୁ କାବୁ କରାଯାଇଥିଲା । ସାପଟିର ଲମ୍ବ ପ୍ରାୟ ୭ ଫୁଟ ହେବ ।

ସାପଟିକୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସ୍ନେକ୍ ହେଲ୍ପ ଲାଇନ ସୂତ୍ରରୁ ପ୍ରକାଶ ।

ବିରଳ ପ୍ରଜାତିର ସାପ ହୋଇଥିବାରୁ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହସ୍ତାନ୍ତର କରାଯିବା ଉଚିତ ବୋଲି କିଛି ଲୋକ କହିଥିଲେ ।

କିନ୍ତୁ ପ୍ରାକୃତିକ ପରିବେଶରେ ସାପଟି ରହିବା ଦରକାର କହି ଅଧିକାଂଶ ଲୋକ ସାପଟିକୁ ନେଇ ଚନ୍ଦକା ଜଙ୍ଗଲ ଭିତରେ ନିକାଂଚନ ସ୍ଥାନରେ ଛାଡ଼ିଦେବାକୁ କହିଥିଲେ ।