ଅବହେଳିତ ଅବସ୍ଥାରେ ଶିଶୁ ଅନନ୍ତ ପୀଠ
ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଥିଲେ ମଧ୍ୟ ସହାୟତା ନାହିଁ
ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ….
ବାଲିପାଟଣା: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଶିଶୁ ଅନନ୍ତ ପୀଠ । ପର୍ଯ୍ୟଟନ ମାନଚିତ୍ରରେ ୩୦୦ତମ ସ୍ଥାନ ପାଇଥିବା ଏହି ପୀଠ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥାଇ ମଧ୍ୟ ଅବହେଳିତ । ସରକାର ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଏହି ପୀଠର ନବୀକରଣ ଓ ବିକାଶ ନିମନ୍ତେ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଡିସେମ୍ବର ୩ ତାରିଖରେ ଏଠାରେ ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ଉତ୍ସବ ପାଳନ ହେବାକୁଥିବା ବେଳେ ଏହି ପୀଠର ବିକାଶ ନେଇ ଦାବି ଉଠିଛି । ସିଦ୍ଧ ସାଧକ ଶିଶୁ ଅନନ୍ତଙ୍କ ଏହି ପୀଠ ୨୦୦୭ରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି ।
ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏକ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ଭୁବନେଶ୍ୱରରୁ ବାହାରି ବାଲିପାଟଣା ବ୍ଲକ ଦେଇ ଶିଶୁ ଅନନ୍ତ ପୀଠ ଠାରେ ପହଞ୍ଚିଥାଏ । ପ୍ରତିଦିନ ଜଣେ ପୂଜକ ଏଠାରେ ଦୈନନ୍ଦିନ ନୀତିକାନ୍ତି କରୁଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ସମସ୍ତ ପୂଜା ହୋଇଥାଏ । ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଏଠାକୁ ବୁଲି ଆସନ୍ତି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ପ୍ରତିବର୍ଷ ଏଠାରେ ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ଉତ୍ସବ ପାଳନ ହେଉଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ପୀଠରେ ଆଲୋକୀକରଣ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏଥିସହ ଚତୁଃପାର୍ଶ୍ୱରେ ପାଚେରି ନଥିବାରୁ ଅସାମାଜିକଙ୍କ ଆଡ୍ଡା ଜମୁଛି । ଏଠାରେ ଥିବା ସପ୍ତ ସାହାଡ଼ା ବୃକ୍ଷର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ ।
ସିଦ୍ଧ ସାଧକ ଶିଶୁ ଅନନ୍ତଙ୍କ ଜୀବନୀ ସହିତ ଜଡ଼ିତ ସମସ୍ତ ତଥ୍ୟ ଓ ସରଞ୍ଜାମକୁ ସଂରକ୍ଷିତ ରଖିଲେ ଆଗାମୀ ପିଢ଼ି ଅନେକ ଉପକୃତ ହୋଇପାରନ୍ତେ । ଏଥିସହ ପର୍ଯ୍ୟଟକମାନଙ୍କ ନିମନ୍ତେ ଉନ୍ନତ ବ୍ୟବସ୍ଥା କରାଗଲେ ଏଠାକୁ ଅନେକ ଲୋକ ଆସନ୍ତେ ଓ ଅଞ୍ଚଳର ବିକାଶ ହୋଇପାରନ୍ତା । କିନ୍ତୁ ପରିତାପର ବିଷୟ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଏହି ପୀଠ ବଞ୍ଚିତ ହୋଇଛି । ପ୍ରଶାସନିକ ଅବହେଳା ଯୋଗୁ ପୀଠ ସୌନ୍ଦର୍ଯ୍ୟ ହରାଉଛି । ତେଣୁ ଏଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।