ଟୋକିଓ ଅଲିମ୍ପିକରେ କିଟ୍‌ରୁ ୩ ଖେଳାଳି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି । ସମଗ୍ର ଭାରତରେ କିଟ୍‌ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି । ଓଡ଼ିଶାର କିଟ ବିଶ୍ୱବିଦ୍ୟାଳୟରୁ ୩ଜଣ ଖେଳାଳି ଅଲିମ୍ପିକସରେ ଅଂଶଗ୍ରହଣ କରିବା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ବୋଲି କିଟ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । ଏକ ଭର୍‌ଚୁଆଲରେ ଆୟୋଜିତ ଜାତୀୟସ୍ତରର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଛନ୍ତି ଯେ କିଟ ଓ କିସ୍‌ ସର୍ବଦା ଶିକ୍ଷା ସହ କ୍ରୀଡାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ କ୍ରୀଡା କ୍ଷେତ୍ର ପ୍ରତି କିଟ ଓ କିସ୍‌ର ଯଥେଷ୍ଟ ଅବଦାନ ରହିଛି । ନିକଟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକସରେ ଭାରତ ତଥା ଓଡିଶାର ଗର୍ବ ଓ ଗୌରବ କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ ଦ୍ୱିତୀୟ ଥର ପାଇଁ ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏକମାତ୍ର ଭାରତୀୟ ଭାବେ ଦୂତୀ ଚାନ୍ଦ ଦ୍ୱିତୀୟ ଥର ଅଲିମ୍ପିକସରେ ୧୦୦ ଓ ୨୦୦ ମିଟର ୌଡି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।
କିଟ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଜଣ ମଧ୍ୟ ଟୋକିଓ ଅଲିମ୍ପିକସରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅସି ଚାଳିକା ସି.ଏ.ଭବାନୀ ଦେବୀ ଏବଂ ଜାଭେଲିନ୍‌ ଥ୍ରୋରୋ ଖେଳାଳି ଶିବପାଲ ସିଂହ । ସି.ଏ. ଭବାନୀ ଦେବୀ ଏବେ କିଟ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି । ଭବାନୀ ଦେବୀ ଏକମାତ୍ର ଓ ପ୍ରଥମ ଭାରତୀୟ ଅସି ଚାଳିକା ଭାବେ ଅଲିମ୍ପିକସରେ ଅଂଶଗ୍ରହଣ କରୁଛନ୍ତି । ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡାକ୍ତର ଭାବେ କିମସର ଡାକ୍ତର ସୁଦୀପ ଶତପଥୀ ମନୋନୀତ ହୋଇ ଜାପାନ ଗସ୍ତ କରୁଛନ୍ତି । ଡା. ଶତପଥୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକ୍‌ସରେ ସ୍ପୋର୍ଟ୍ସ ମେଡିସିନ ଡାକ୍ତର ଭାବେ ଯୋଗ ଦେଇଥିବା ବେଳେ କ୍ଲିନିକାଲ୍‌ ଫିଜିଓଲୋଜିଷ୍ଟ ତଥା ସ୍ପୋର୍ଟ୍ସ ଆଣ୍ଡ ଏକ୍ସରସାଇଜ ଫିଜିଓଲୋଜି ବିଶେଷଜ୍ଞ ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପୌରୋହିତ୍ୟରେ ଏହି ଖେଳାଳିଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ତଥା ଇଲେକ୍‌?ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ସମ୍ମାନୀୟ ଅତିଥି ଭାବେ କ୍ରୀଡା ଓ ଯୁବବ୍ୟାପାର ତଥା ପର୍ୟ୍ୟଟନ ବିଭାଗ ମୁଖ୍ୟ ସଚିବ ବିଶାଳ କୁମାର ଦେବ ଯୋଗଦେଇଥିଲେ । କିଟ୍‌ କ୍ରୀଡା ର୍ନିଶକ ଡ. ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ୨୦୧୩ରୁ ଦୂତୀ ଚାନ୍ଦଙ୍କ୍‌ ସମସ୍ତ ସୁଖ ଦୁଃଖରେ କିଟ ରହି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ । ଅଲିମ୍ପିକରୁ ଫେରିବା ପରେ ଦୂତୀଙ୍କ ପାଇଁ କିଟ ତରଫରୁ ଦୁଇଟି ବଡ ଉପହାର ପ୍ରଦାନ କରାଯିବ ବୋଲି ଏହି ଅବସରରେ ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ସମସ୍ତ କର୍ମଚାରୀ ଓ ଲକ୍ଷାଧିକ କ୍ରୀଡାପ୍ରେମୀ ଭର୍‌ଚୁଆଲରେ ଯୋଡି ହୋଇଥିଲେ ।