ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଉ ଜଣେ ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାଙ୍କ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଆଜି କୋରାପୁଟ ଟାଉନ ଥାନାର କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆଙ୍କର ମୃତ୍ୟୁ ହୋଇଛି। ଏନେଇ କୋରାପୁଟ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ପୀତବାସ। ଏହାପରେ ତାଙ୍କୁ କୋରାପୁଟସ୍ଥିତ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଅବଧି ମଧ୍ୟରେ କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ହେଲେ ଚାରି ଦିନ ତଳେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟକୁ ଆଜି ସେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଛନ୍ତି।
ପୀତବାସଙ୍କ ପରି ଜଣେ କର୍ମନିଷ୍ଠ, ତତ୍ପର ଅଧିକାରୀଙ୍କୁ ହରାଇ ଜିଲ୍ଲା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଆଇଆଇସି ପୀତବାସ ଧାରୁଆଙ୍କ ଗାଁ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡାରେ ବୋଲି ଜଣାପଡିଛି।