ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଗିରଫ

ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁ ଟ ପୋଲିସକୁ ଏକ ବଡ ସଫଳତା ମିଳିଛି ।  ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୋଲିସ ତା ନିକଟରୁ ଗୋଟିଏ AK-47 ରାଇଫଲ୍, ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କି.ଗ୍ରା. ଗନ ପାଉଡର୍, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

ଏସପି ଶ୍ରୀ ବର୍ମାଙ୍କ ସୂଚନା ମୁତାବକ, ୨୮ ମଇ, ୨୦୨୫ ରାତିରେ ବୈପାରୀଗୁଡା ଥାନା ଅଧୀନ ପେଟଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା ।  ଏସଡିପିଓ ଜୟପୁର ଶ୍ରୀ ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଡିଭିଏଫ  ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରେ ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରି ଡିଭିଏଫ ଟିମ ଉପରେ ଗୁଳି ଚଳାଇଥିଲେ । ଆତ୍ମରକ୍ଷା ପାଇଁ ଡିଭିଏଫ ଦଳ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ପୋଲିସ ହାବୁଡରେ ପଡିଯାଇଥିଲା ବୋଲି ଏସପି ଶ୍ରୀ ବର୍ମା ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ରେ ଛତିଶଗଡର ଚାନ୍ଦମେଟା, ୨୦୨୩ରେ କୋଲେଙ୍ଗଡବା, ୨୦୨୦ରେ ଓଡିଶାର  କୋଣ୍ଡାଝରି, ଏବଂ ୨୦୨୧ରେ କୁମ୍ଭିଖରିରେ ହୋଇଥିବା ମାଓବାଦୀ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା । ଏହା ସହ ଓଡିଶାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାରେ ୪ଟି ମାମଲା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ୩ଟି ମାମଲା ରହିଛି । ଏହାବ୍ଯତୀତ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ହିଡମା ଜଡିତ ଥିବାର ପୋଲିସ ସୂଚନା ପାଇଛି ।

ମୋହନ ୨୦୦୭ ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମାଓବାଦୀଙ୍କ ସାଂସ୍କୃତିକ ଶାଖା ବାଲ୍ ସଂଘମ୍ ଏବଂ ଜନନାଟ୍ୟ ମଣ୍ଡଳୀ (JNM)ରେ ସାମିଲ ହୋଇଥିଲେ । ୨୦୧୩ ରୁ ୨୦୧୫ ମଧ୍ୟରେ ସେ ଉସୁର ଲୋକାଲ୍ ଅର୍ଗାନାଇଜେସନ୍ ସ୍କ୍ବାଡ୍ (LOS) ଅଧୀନରେ ଜଣେ ଦଳୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ୨୦୧୬ରେ ସେ ଆନ୍ଧ୍ର-ଓଡିଶା ବର୍ଡର (AOB) ପ୍ଲାଟୁନରେ କାର୍ଯ୍ୟ କରିବା ସହ ୨୦୧୯ରେ ତାଙ୍କୁ ACM ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କୁ AOB ପ୍ଲାଟୁନ୍ ସେକ୍ସନ୍ -୦୧ ରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ମସିହାରେ ତାଙ୍କୁ ସୁକମା ଜିଲ୍ଲା ଅନ୍ତର୍ଗତ କେରଲାପାଲ ଅଞ୍ଚଳରେ ପ୍ଲାଟୁନ-୨୪କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୦୨୪ ମସିହାରେ, ସେ ଅସ୍ଥାୟୀ ଭାବରେ ପ୍ଲାଟୁନ-୨୬କୁ ସ୍ଥାନାନ୍ତରିତ ହୋଇ ସୁକମାର ମାଲେନଗିରି ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ସେ ୨୦୨୫ ମସିହା ମେ ମାସରେ  AOB ୟୁନିଟକୁ ଫେରି ଆସି ଛତିଶଗଡ଼ର ଦକ୍ଷିଣ ବସ୍ତର ଏବଂ କେରଲାପାଲ ଅଞ୍ଚଳରେ ସୁରେଶ (SZCM)ଙ୍କ ଅଧୀନରେ ACM ଭାବରେ କାର୍ଯ୍ୟ କରୁଥିଲେ ।