ତେଲୁଗୁ ସ୍କୁଲ ଖୋଲିବାକୁ କୋଟିଆରେ ଆନ୍ଧ୍ରର ଯୋଜନା

ଜୟପୁର : ଆସନ୍ତା ସ୍ୱାଧୀନତା ଦିବସରେ କୋଟିଆର ସବୁ ଗାଁରେ ଆନ୍ଧ୍ର ତରଫରୁ ତେଲୁଗୁ ଭାଷାରେ ଫଳକ ମାରିବାକୁ ଯେଉଁ ଯୋଜନା କରୁଛି ତାକୁ ନେଇ ଏବେ ରାଜନୀତି ବେଶ ସରଗରମ । ଏପରିକି ଏହାକୁ ନେଇ ଚେତାବନୀ ବି ଦେଇଛନ୍ତି ଜିଲ୍ଲାର ଦୁଇଜଣ ବିଧାୟକ । ଆଉ ଏହି ବିବାଦ ନତୁଟୁଣୁ କୋଟିଆର ଛାତ୍ରଛାତ୍ରୀଙ୍କ ଉପରେ ଆନ୍ଧ୍ରର ନଜର । ଏଠାକାର ଛାତ୍ରଛାତ୍ରୀ ଯେପରି ଓଡିଶା ସ୍କୁଲକୁ ଯାଇ ଓଡିଆ ନ ପଢିପାରିବେ ସେଥିପାଇଁ ଆରମ୍ଭ କରିଛି ପ୍ରୟାସ । କୋଟିଆର ସବୁ ଗାଁରେ ତେଲୁଗୁ ସ୍କୁଲ ଖୋଲିବାକୁ ଆନ୍ଧ୍ର ଯୋଜନା ଚଳାଇଛି । କେବଳ ପ୍ରାଥମିକ ବିଦ୍ୟାଳୟ ନୁହଁ ବରଂ ଉଚ୍ଚ଼ ଶିକ୍ଷା ଅନୁଷ୍ଠାନ ବି ଖୋଲିବାକୁ ଆନ୍ଧ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ପୂର୍ବରୁ କୋଟିଆର କିଛି ଗାଁରେ ଆନ୍ଧ୍ର ତରଫରୁ ତେଲୁଗୁ ସ୍କୁଲ ଖୋଲା ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ପ୍ରଲୋଭିତ କରିବାକୁ ବାର୍ଷିକ ୧୫ ହଜାର ଟଙ୍କା ଦେଉଛି ଆନ୍ଧ୍ର । ଆନ୍ଧ୍ର ତରଫରୁ ଯେଉଁ ଅଧିକ ତେଲୁଗୁ ସ୍କୁଲ ଖୋଲିବାକୁ ଉଦ୍ୟମ ହେଉଛି ତାକୁ ସ୍ଥାନୀୟ ଅଞ୍ଚଳରେ ଜୋରଦାର ବିରୋଧ କରିଛନ୍ତି ବୁଦ୍ଧିଜୀବୀ ଓ ସଂଗଠନ । ସେପଟେ କୋଟିଆକୁ ନେଇ ପୁଣିଥରେ ଉତ୍ତେଜନା ଦେଖା ଦେଇଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି କୋରାପୁଟ ବାର ଆସୋସିଏସନ ।