ସ୍ମାର୍ଟ ଭିଲେଜ ତାଲିକାରେ ଓଡିଶାର କୁସୁନପୁର

କେନ୍ଦ୍ର ବିଜ୍ଞାନ ଓ ଉଦ୍ୟୋଗ ବିଭାଗ ମିଳିତ ଆନୁକୂଲ୍ୟରେ …..

ରାଜନଗର: କେନ୍ଦ୍ର ବିଜ୍ଞାନ ଓ ଉଦ୍ୟୋଗ ବିଭାଗ ମିଳିତ ଆନୁକୂଲ୍ୟରେ ସମଗ୍ର ଦେଶରେ ୫ଟି ଗାଁ କୁ ସ୍ମାର୍ଟ ଭିଲେଜ ଭାବରେ ରୂପାନ୍ତରଣ କରାଯିବ। ଦେଶର ୫ ଟି ଘୋଷିତ ଗାଁ ମଧ୍ୟରୁ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଚାନ୍ଦୀବାଉଁଶମୂଳ ପଂଚାୟତ କୁସୁନପୁର ଗାଁ ରହିଛି। ସ୍ମାର୍ଟ ଭିଲେଜ ଭାବରେ ଏହାର ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସି.ଏସ.ଆଇ.ଆର ମୁଖ୍ୟ ବୈଜ୍ଞାନିକ ଡି.ପି କାନୁନଗୋଙ୍କ ସଂଯୋଜନାରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ସିଏସ୍‌ଆଇଆର୍‌ ଓ ସିବିଆର୍‌ଆଇ୍‌ ନିର୍ଦ୍ଦେଶକ ଆର ପ୍ରଦୀପ କୁମାର, ଆଇଏମ୍‌ଏମ୍‌ପି ନିର୍ଦ୍ଦେଶକ ଡକ୍ଟର ରାମାନୁର୍ଜ ନାରାୟଣ, ବାଲ ଭାରତ ମୁଖ୍ୟ ଶାନ୍ତନୁ ଚକ୍ରବର୍ତୀ, କୁସୁନପୁର ମୁରବି ବିଷ୍ଣୁ ଚରଣ ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ବେହେରା, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଓ ସ୍ଥାନୀୟ ସରପଂଚ ପ୍ରମୁଖ ଯୋଗ ଦେଇଥିଲେ।

ନୂତନ ଜ୍ଞାନ କୌଶଳ ମାଧ୍ୟମରେ ରାସ୍ତା, ବିଦ୍ୟାଳୟ, ଅଙ୍ଗନବାଡି ନିର୍ମାଣ କରାଯିବ। ଯେଉଁ ଶିଶୁ ଓ ମା ମାନେ ପୁଷ୍ଟିକର ଖାଦ୍ୟ ଖାଇପାରୁନାହାନ୍ତି ସର୍ଭେ କରାଯାଇ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ନୂତନ ଜ୍ଞାନ କୌଶଳରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ।

ସିଏସଆଇଆର ପକ୍ଷରୁ ପ୍ରତ୍ୟେକ ପରିବାରକୁ ପାଣି ଫିଲଟର ଯୋଗାଇ ଦିଆଯିବ। ଜୈବିକ ଖତ ଉପଯୋଗ କରି ଧାନ ଓ ପନିପରିବା ଚାଷ କରାଯିବ। ବର୍ଷା ଜଳ ସରଂକ୍ଷଣ ଓ ନଦୀଜଳକୁ ପରିଚାଳନା କରି କୃଷିକ୍ଷେତ୍ରରେ ପାଣି ସମସ୍ୟାର ସମାଧାନ କରାଯିବ। ପ୍ଲାଷ୍ଟିକ ମୁକ୍ତ କରାଯିବ। ଗ୍ୟାସର ଅଭାବ ଦୂରୀକରଣ ପାଇଁ କମ୍‌ କାଠର ବ୍ୟବହାର ଓ ଧୂଆଁବିହୀନ ଚୁଲା ଯୋଗାଇ ଦିଆଯିବ। ପ୍ରତି ୨ ମାସରେ ଥରେ ସ୍ମାର୍ଟ ଭିଲେଜ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ରଘୁନାଥ ଆର ଆୟାର କହିଛନ୍ତି ।

ଏହି ଅବସରରେ ସିଏସଆଇଆର୍‌ ପକ୍ଷରୁ ସମସ୍ତ ଅତିଥି ଏବଂ ଗାଁ ର ପ୍ରାକ୍ତନ ଶିକ୍ଷକ ଅର୍ଜୁନ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ପରିଡା ଓ ପକୃତିବନ୍ଧୁ ନରହରି ରାଉତଙ୍କୁ ଅଙ୍ଗ ବସ୍ତ୍ର ଓ ସ୍ମାର୍ଟ ଭିଲେଜ ଲୋଗୋ ଦିଆଯାଇ ସମ୍ମାନିତ କରାଯାଇଥିଲା। ଗାଁ ର ୨୫ ଜଣ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଇଥିଲା।