ଶ୍ରେଣୀକକ୍ଷ ଅଭାବ, ୫୦ ହଜାର ଶିକ୍ଷକ ନାହାନ୍ତି

ପ୍ରାଥମିକ ବିଦ୍ୟାଳୟ କହିଲେ ବଖରାଏ …

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ କହିଲେ ବଖରାଏ ଘର; ଗୋଟିଏ ବ୍ଲାକବୋର୍ଡ। ସେହି ଗୋଟିଏ ବଖରାଟିରେ ବସୁଛନ୍ତି ପାଂଚଟି ଶ୍ରେଣୀର ପିଲାଏ। ପ୍ରଥମରୁ ପଂଚମ ଶ୍ରେଣୀର ପିଲାମାନେ ଗୋଟିଏ କକ୍ଷରେ ବସି ପାଠ ପଢ଼ିବା ସମ୍ଭବ? ସମୟ ସମୟରେ ବାରଣ୍ଡାରେ କାମ ଚଳିଯାଉଛି। ରାଜ୍ୟର ପ୍ରାୟ ୧୮୯୮ଟି ପ୍ରାଥମିକ ସ୍କୁଲର ଏହି ଦଶା। ସୂଚନା ମୁତାବକ, କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩୪ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହ ରହିଛି। ରାୟଗଡା ଜିଲ୍ଲାରେ ୨୦୯ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହ ରହିଛି।
ସେହି କ୍ରମରେ ଦେଖିଲେ ବଲାଙ୍ଗିର ଜିଲ୍ଲାରେ ୧୫୧, କଳାହାଣ୍ଡି ଜିଲ୍ଲାରେ ୧୪୬, ମୟୂରଭଞ୍ଜ ଜିଲ୍ଲାରେ ୧୨୦ ଓ ଗଞ୍ଜାମ ଜିଲ୍ଲାର ୧୦୮ଟି ସ୍କୁଲରେ ମାତ୍ର ଗୋଟିଏ ଶ୍ରେଣୀଗୃହ ରହିଛି। କେଉଁଠି କ୍ଲାସରୁମ୍‌ ନାହିଁ ତ ଆଉ କେଉଁଠି ଶିକ୍ଷକ ନାହାନ୍ତି। ଏଇ ହେଉଛି ଆମ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର। ଲୋକପ୍ରିୟ ସରକାରଙ୍କର ଲୋକପ୍ରିୟ ଅଭିଯାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ଅମଳରେ ସରକାରୀ ଶିକ୍ଷାର ହାଲଚାଲ ପ୍ରାୟତଃ ସମାନ। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରାୟ ୫୩ ହଜାର ୫୬୧ଟି ପ୍ରାଥମିକ ଶିକ୍ଷକ ପଦବି ଖାଲି ପଡିଛି। ଏଥିରୁ ବିଭିନ୍ନ ପ୍ରାଥମିକ ସ୍କୁଲରେ ୭୭୫ଟି ବରିଷ୍ଠ ପ୍ରଧାନଶିକ୍ଷକ ପଦବି ଖାଲି ପଡି଼ଛି। ବିଭିନ୍ନ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୩ ହଜାର ୬୩୨ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି। ବିଭିନ୍ନ ପ୍ରାଥମିକ ସ୍କୁଲରେ ୬ ହଜାର ୬୧୪ଟି ପ୍ରଧାନଶିକ୍ଷକ ପଦବି ଖାଲି ପଡିଛି। ମୋଟ୍‌ ୨୧ ହଜାର ୨୧ଟି ପ୍ରଧାନ ଶିକ୍ଷକ ପଦବି ଖାଲି ରହିଛି। ବିଜ୍ଞାନ ଗ୍ରାଜୁଏଟ୍‌ ଶିକ୍ଷକ ପଦବି ୧୪ ହଜାର ୩୯୧ଟି ଖାଲି ରହିଛି। କଳା ଗ୍ରାଜୁଏଟ୍‌ ଶିକ୍ଷକ ପଦବି ୬୯୯୦ ଖାଲି ରହିଛି।

ସେହିପରି ୧୧ ହଜାର ୧୫୯ଟି ଭି(ବି) ଶିକ୍ଷକ ପଦବି ଖାଲି ରହିଛି। ରାଜ୍ୟରେ ଲେଭଲ ଭି(ଏ) ପଦବିରେ ୩୬ ହଜାର ୫୮୮ ଜଣ ଶିକ୍ଷକ ଅଧିକ ଥିବା ସରକାର ଦର୍ଶାଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବା କଥା ଏହି ପଦବିରେ ବଳକା ଶିକ୍ଷକ ଅଛନ୍ତି ସେମାନଙ୍କର ପଦୋନ୍ନତି ହୋଇନାହିଁ। ତେଣୁ ଲେଭଲ ଭି(ଏ)ରେ ଯୋଗ ଦେଉଥିବାରୁ କନିଷ୍ଠ ଶିକ୍ଷକଙ୍କ ସଂଖ୍ୟା ବଢ଼ୁଛି। ଦେଖିବାକୁ ଗଲେ ପ୍ରାଥମିକ ଶିକ୍ଷାରେ ବରଂ କମ ରହିଛନ୍ତି।
ଗତ ଏପ୍ରିଲ୍‌ରେ ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲିଛି। ପ୍ରାଥମିକ ପର୍ଯ୍ୟାୟରେ ସରକାର ସମସ୍ତ ସ୍କୁଲରେ ପିଲାଙ୍କ ସଂଖ୍ୟା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ପାଇଁ ଘୋଷଣା କରି ଏହାର ମାର୍ଗଦର୍ଶିକା ମଧ୍ୟ ଜାରି କଲେ। ଶିକ୍ଷାବର୍ଷ ସରିବ ମାତ୍ର ଶିଶୁ ସେବିକା ନିଯୁକ୍ତି ହୋଇପାରିଲେ ନାହିଁ। ଶିଶୁଙ୍କ ପାଇଁ ଆବଶ୍ୟକୀୟ ଭିତିଭୂମି ନାହିଁ। ସ୍ୱତନ୍ତ୍ର କ୍ଲାସରୁମ୍‌ ମଧ୍ୟ ନାହିଁ ।

କେବଳ ଏତିକି ନୁହେଁ ନିକଟରେ ବିଧାନସଭା ଷ୍ଟାଣ୍ଡିଂ କମିଟି-୪ ପକ୍ଷରୁ ପ୍ରକାଶ ରିପୋର୍ଟରେ ସ୍କୁଲରେ ଶିକ୍ଷକ, ପ୍ରଧାନଶିକ୍ଷକ ନ ରହିବାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା। ରାଜ୍ୟରେ ଅଧିକ ମାତ୍ରାରେ ଶିକ୍ଷକ ପଦବି ଖାଲି ପଡିଛି। ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧିକ ସଂଖ୍ୟାରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ଖାଲି ରହିଛି। ଫଳରେ ଗୁଣାତ୍ମକ ଶିକ୍ଷାଦାନରେ ବାଧ୍ୟାପ୍ରାପ୍ତ ହେଉଛି। ତେଣୁ ସରକାର ତୁରନ୍ତ ଏହି ସବୁ ସ୍କୁଲମାନଙ୍କରେ ଶିକ୍ଷକ ନିଯୁକ୍ତି ଦିଅନ୍ତୁ ବୋଲି ମଧ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଖାଲି ପଡିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପଦବିରେ ନିଯୁକ୍ତି ଦିଆଯାଉ। ଅନେକ ସ୍କୁଲରେ କ୍ଲାସରୁମ୍‌ ଅଭାବକୁ ଦେଖି ପ୍ରସ୍ତାବ ଦେଇଛି, ଅଧିକ କ୍ଲାସ୍‌ ରୁମ୍‌ କରାଯାଉ । ଏଥିସହ ସ୍କୁଲର ଭିତିଭୂମି ବିକାଶ କରାଯାଉ ବୋଲି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। କେବଳ ଏତିକି ନୁହେଁ ସ୍କୁଲରେ ପିଲାଙ୍କୁ ଅତି ନିମ୍ନମାନର ପୋଷାକ ଦିଆଯାଉଥିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି କମିଟି।