ପୁରୀ ଐତିହ୍ୟ କରିଡର ପାଇଁ ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର

ଭୁବନେଶ୍ୱର(ଏସ୍ ନ୍ୟୁଜ) : ସୁରକ୍ଷା କରିଡର ପାଇଁ ଶ୍ରୀମନ୍ଦିର ଚତୁଃର୍ପାଶ୍ବରେ ଅଧିଗୃହୀତ ସରକାରୀ ଓ ବେସରକାରୀ ଜମିକୁ ବିନା ମୂଲ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ କରାଯାଇଛି ।

ଏହାସହ ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନାରେ ପୁରୀଠାରେ ଜଗନ୍ନାଥବଲ୍ଲଭ ତୀର୍ଥସ୍ଥଳୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଦୀର ସମ୍ପ୍ରସାରଣ କାର୍ଯ୍ୟ ଏନସିସି ଲିମିଟେଡ୍ କରିବ। ୪୬୧.୨୫ କୋଟି ଟଙ୍କା ବ୍ୟୟରେ ଏହି ୪ଟି ପ୍ରକଳ୍ପ କାର୍ଯ୍ୟର ଟେଣ୍ଡରକୁ ଏନସିସି ଲିମିଟେଡକୁ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି। ‘ଟର୍ଣ୍ଣ-କି’ ଟେଣ୍ଡର ଆଧାରରେ ଏନସିସି ଲିମିଟେଡ୍ ଏହି କାର୍ଯ୍ୟକୁ ୩୦ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହାସହିତ କ୍ୟାବିନେଟ ଆଜି ସ୍ୱାସ୍ଥ୍ୟ ବିଭାଗର ଓଡ଼ିଶା ନର୍ସିଂ ସେବା ସଂଶୋଧନ ଅଧିନିୟମ-୨୦୨୦ ସଂଶୋଧନ, ଓଡ଼ିଶା ଡାକ୍ତରୀ ସେବା ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ରେ ସଂଶୋଧନ, ଓଡ଼ିଶା ରେଡ଼ିଓଗ୍ରାଫର ସେବା ସଂଶୋଧନ ନିୟମ-୨୦୨୦, ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ-୨୦୨୦, ଓଡ଼ିଶା ବେସରକାରୀ ସେବା (ପଦୋନ୍ନତି ଓ ମାନଦଣ୍ଡ) ନିୟମାବଳୀ-୧୯୯୨ର ସଂଶୋଧନ, ଓଡ଼ିଶା ଯୋଜନା ସେବା ନିୟମ-୧୯୯୬ର ସଂଶୋଧନ, ଓଡ଼ିଶା ସରକାରୀ ପଲଟେକନିକରେ ଲାବ୍ରୋଟୋରୀ ସହାୟକ (ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୨୦ର ପ୍ରଣୟନ ସମେତ ଯୋଡ଼ା-ବାମବେରୀ ଜାତୀୟ ରାଜପଥରେ ଯୋଡ଼ା ଟାଉନ୍ ମଧ୍ୟରେ ୩ କିମି ଲମ୍ବର ଫ୍ଲାଏଓଭର ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୪୪.୧୧ କୋଟି ଟଙ୍କା ବ୍ୟୟରେ ଟେଣ୍ଡର ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।