ଅଜିତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ବର୍ଷିଆନ୍ ଓଲିଉଡ଼ ଅଭିନେତା ଅଜିତ ଦାଶଙ୍କର ଅନ୍ତିମ ସଂସ୍କାର ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ଗାର୍ଡ଼ ଅଫ୍ ଅନର ପରେ ତାଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଛନ୍ତି ବଡ଼ ଝିଅ। ଗତକାଲି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Ajit Das makes stage return with Kie Sie - Telegraph India

୭୧ ବର୍ଷ ବୟସରେ ଅଜିତ ଦାଶଙ୍କୁ କରୋନା ଛଡ଼ାଇ ନେଇଛି। ଏକା ସାଙ୍ଗରେ ସିନେମା ଏବଂ ନାଟକରେ ଅଭିନୟର ଯାଦୁ ଦେଖାଇଥିବା ଅଜିତ ଦାଶ ଥିଲେ ଜଣେ ଅମାୟିକ ବ୍ୟକ୍ତିତ୍ୱ। ୧୯୪୯ ମସିହା ଜାନୁଆରୀ ୨୦ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ ଦାଶ ଜନ୍ମ ଗ୍ରହଣ କରିଥିଲେ। ପିଲାବେଳୁ କଳାପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ବିଜୟ ମହାନ୍ତିଙ୍କ ପରାମର୍ଶରେ ସେ ଏନଏସଡିରେ ମଧ୍ୟ ଯୋଗଦେଇ ଅଭିନୟ ଶିଖିଥିଲେ। ବଲିଉଡରେ ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ଥିଲେ ହେଁ ସେ ଓଡ଼ିଶା ଫେରିଆସିଥିଲେ।

୧୯୭୬ ମସିହାରେ ପ୍ରଥମେ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଅଜିତ ଦାଶ। ଏଥିରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ। ପରେ ସେ ‘ଅଭିମାନ’, ‘ଗୌରୀ’, ବଳିଦାନ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ ସେ’, ‘ପ୍ରେମଋତୁ ଆସିଲାରେ’, ‘ଆମ ଭିତରେ କିଛି ଅଛି’ ଏବଂ ‘ଅଭିମନ୍ୟୁ’ ଭଳି ୭୦ ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ଫିଲ୍ମ ‘ହାକିମବାବୁ’ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ଏବଂ ସେ ମଧ୍ୟ ଏଥିପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହି ଦିନଠୁ ତାଙ୍କୁ ଲୋକେ ହାକିମ ବାବୁ ଡାକିବା ଆରମ୍ଭ କରିଥିଲେ।

Versatile actor Ajit Das passes away - Dinalipi

ସିନେମା ବ୍ୟତିତ ନାଟକରେ ଅଭିନୟ ସହ ଅନେକରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଅଜିତ୍ ଦାଶ। ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଡ୍ରାମା ବିଭାଗର ସେ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି ଏବଂ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ସେ ନିଜେ ମଧ୍ୟ ‘ଅଜିତ’ ନାଁରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ବହୁ ନୂତନ କଳାକାର ସୃଷ୍ଟି କରିଥିଲେ। ଦର୍ଶକ କିପରି ପୂର୍ବଭଳି ଟିକେଟ କାଟି ନାଟକ ଦେଖିବାକୁ ଆଗ୍ରହ ହେବେ ଏଥିପ୍ରତି ସେ ଅହରହ ଚେଷ୍ଟା ଜାରି ରଖିଥିଲେ। ତାଙ୍କର ଅବର୍ତ୍ତମାନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।