ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା

ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର….

ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କର ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ଅନେକ ଦକ୍ଷ ସାମ୍ବାଦିକଙ୍କୁ ଗଢ଼ିତୋଳିବାରେ ଡାକ୍ଟର ସୁନୀଲକାନ୍ତ ବେହେରାଙ୍କର ଅବଦାନ ରହିଛି। ତାଙ୍କ ବିୟୋଗ ଖବର ପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘ ବର୍ଷ ଅଧ୍ୟାପନା କରିବା ପରେ ୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ। ପରେ ସେ ଆସାମ ତେଜପୁର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡିନ୍‌ ଭାବରେ ଯୋଗ ଦେଇଥିଲେ। ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ।ଦୁଇମାସ ପୂର୍ବରୁ ପ୍ରଫେରସ ବେହେରା ନିଜ ଶରୀରକୁ ଡାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗକୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବେଙ୍ଗାଳୁରୁଠାରେ କାର୍ଯ୍ୟ କରୁଛନ୍ତି। ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମର ଶରୀରକୁ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ର ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।