ସ୍ୱାଧୀନତାର ୭୫ ବର୍ଷ ‘ଅମୃତ ମହୋତ୍ସବ’ ପାଳନ ଅବସରରେ ସାମୁହିକ ରାଷ୍ଟ୍ରଗାନ
*ଦେଶାତ୍ମବୋଧ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ବହୁ ବିଶିଷ୍ଟ କବି
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆସନ୍ତା କାଲି ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଦେଶର ମହାପୁରୁଷ ଏବଂ ଆମ ପୂର୍ବଜମାନେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବହୁ କଷ୍ଟରେ ଆମ ସମସ୍ତଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି । ସେହି ମୁହୁର୍ତକୁ ସ୍ମରଣୀୟ କରିବା ସହିତ ବର୍ତମାନର ନୂଆ ଯୁବ ପିଢୀଙ୍କ ମଧ୍ୟରେ ରାଷ୍ଟ୍ରୀୟତାବାଦ ସୃଷ୍ଟି କରିବା ନିହାତି ଆବଶ୍ୟକ । ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ‘ରାଷ୍ଟ୍ରୀୟ ଗାନ’ ଏକ ମାଧ୍ୟମ ଅଟେ । ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ତଥା ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଆରମ୍ଭ ହୋଇଥିବା ‘ମେରା ମାନ୍, ମେରା ରାଷ୍ଟ୍ର ଗାନ୍’ ଅଭିଯାନରେ ସାମିଲ ହେବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ଆସନ୍ତୁ ! ଗାଇବା ରାଷ୍ଟ୍ରଗାନ, ରଖିବା ଦେଶର ମାନ’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ସେନାଧିକାରୀ ଲେଫ୍ଟେନାଂଟ ଜେନେରାଲ ନାରାୟଣ ମହାନ୍ତି, ପଦ୍ମଶ୍ରୀ ରଜତ କର, ଏମ୍ସ ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଡା.ଅଶୋକମହାପାତ୍ର, ପୂର୍ବତନ କୁଳପତି ପ୍ରଫୁଲ୍ଲ ମିଶ୍ର,ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅଭିନେତା ଶ୍ରୀତମ ଦାସ, ଭୂବନେଶ୍ୱର ବାର୍ କାଉନସିଲ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ରଥ,ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ଅବଦୁଲ୍ ସଲାମ୍, ବିଶିଷ୍ଟ ବ୍ୟବସାୟୀ ପରବିନ୍ଦର ପାଲ୍ ସିଂହ, ସଜ୍ଜନ କୁମାର ଶର୍ମା ପ୍ରମୁଖ ସାମୁହିକ ରାଷ୍ଟ୍ରଗାନରେ ସାମିଲ ହୋଇଥିଲେ ।ଦେଶର ଯୁବବର୍ଗଙ୍କୁ ରାଷ୍ଟ୍ରପ୍ରେମରେ ଉଦବୁଦ୍ଧ କରିବା ପାଇଁ ଆଜି ଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ଅତିଥିବୃନ୍ଦ ଖୁସି ବ୍ୟକ୍ତ କରି କହିଛନ୍ତି । ସମସ୍ତ ଦେଶବାସୀଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ସମସ୍ତ ଭାରତୀୟ ରାଷ୍ଟ୍ରୀୟ ସଙ୍ଗୀତକୁ ଗାନ କରି www.rastragaan.in ରେ ଅପ୍ଲୋଡ୍ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତଙ୍କୁ ନିବେଦନ କରିଥିଲେ । ସମସ୍ତଙ୍କ ବ୍ୟକ୍ତଗତ ରାଷ୍ଟ୍ରଗାନର ସ୍ୱରକୁ ଉପସ୍ଥାପିତ କରାଯାଇ ଏକ ଅଭିନବ ଜନଆନ୍ଦୋଳନରେ ପରିଣତ କରାଯିବ । ନିଆରା ଢଙ୍ଗରେ ପାଳନ ହେବାକୁ ଥିବା ଏହି ଜନଆନ୍ଦୋଳନରେ ନିଜକୁ ସାମିଲ କରିବା ପାଇଁ ଶ୍ରୀ ମହାନ୍ତି ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ।
ଏହା ପରେ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଦର୍ଶନ ନାୟକ, ଭୂବନାନନ୍ଦ ତ୍ରିପାଠୀ, କାନନବାଳା ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।