ପାରାଦୀପ: ପାରାଦୀପ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚକାଚକ୍ କୋଠା। ଦେଢ଼ ବର୍ଷ ତଳେ ରଙ୍ଗ ହୋଇଥିଲା। ଏବେ ପୁଣି ୪ ମାସ ପୂର୍ବରୁ ଚକାଚକ୍ ରଂଗ ଦିଆଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଟିର ପରିବେଶକୁ ଦେଖିଲେ ମନ ଭରିଯାଉଛି। ମାତ୍ର ବିନା ଡାକ୍ତରରେ ଚାଲିଛି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ୬୦ ହଜାର ଲୋକଙ୍କ ପାଇଁ ରହିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର। କିନ୍ତୁ ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ ଓ ନର୍ସରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର। ଯଦି ଫାର୍ମାସିଷ୍ଟ କୌଣସି କାରଣରୁ ଛୁଟିରେ ରହିଲେ ଷ୍ଟାଫ୍ ନର୍ସ ସମ୍ଭାଳନ୍ତି ମେଡିକାଲ୍। ଏଭଳି ବିକଳ ଚିତ୍ର ଶିଳ୍ପ ନଗରୀ ପାରାଦୀପରେ ଦେଖିବାକୁ ମିଳିଛି। ଅନୁମୋଦିତ ଡାକ୍ତର ପଦବିରେ ଜଣେ ରହିବା କଥା କିନ୍ତୁ ଡାକ୍ତର ପଦବି ଖାଲି। ଶିଳ୍ପ ନଗରୀ ପାରାଦୀପର ନୂଆବଜାର, ବୃନ୍ଦାବନ କଲୋନୀ, ଷଣ୍ଢକୁଦ, ମଧୁବନ ଆଦି ଅଂଚଳର ୬୦ ହଜାର ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫିଜିଓଥେରାପି ଡାକ୍ତର ସୋମବାରରୁ ଗୁରୁବାର ଆସୁଛନ୍ତି। ସୋମବାର ଜଣେ ଦାନ୍ତ ଡାକ୍ତର ଆସୁଛନ୍ତି। ଡେପୁଟେସନରେ ଜଣେ ଏମ୍ବିବିଏସ୍ ଡାକ୍ତର କେତେବେଳେ କେମିତି ଆସନ୍ତି। ପୁଣି ତାଙ୍କର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଶିବିର ଆଡି କାର୍ଯ୍ୟକ୍ରମ ଥିଲେ ଆସନ୍ତି ନାହିଁ ବୋଲି ସୂଚନା ମିଳିଛି।
ବିଶେଷ କରି ଥଣ୍ଡା, ଜ୍ୱର, କାଶ, ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ। ଏଭଳି ରୋଗୀ ଆସିଲେ ନର୍ସ ଦେଉଛନ୍ତି ଔଷଧ ଅର୍ଥାତ୍ ନର୍ସ ଜ୍ୱରଠାରୁ ଆରମ୍ଭ କରି ପେଟ କାମୁଡା, ଛାତି ଯନ୍ତ୍ରଣା, ଗୋଡହାତ ବିନ୍ଧା, ଆଖି ଓ ଚର୍ମ ଆଦି ରୋଗ ପାଇଁ କେବଳ ଫାର୍ମାସିଷ୍ଟ ଓ ନର୍ସ ଦେଉଛନ୍ତି ଔଷଧ। ଯେଉଁଥିରେ ବିନା ଡାକ୍ତରଙ୍କ ପରାମର୍ଶରେ ଚାଲିଛି ରୋଗୀ ଚିକିତ୍ସା। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୧ଟା ଓ ଅପରାହ୍ନ ୫ଟାରୁ ସାନ୍ଧ୍ୟ ୮ଟା ପର୍ଯ୍ୟନ୍ତ ଖୋଲୁଛି। ପ୍ରତ୍ୟେକ ଦିନ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଗୁରୁବାର ସକାଳେ ୬୮ ଜଣ ଓ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ସନ୍ଧ୍ୟାରେ ପ୍ରାୟ ୩୫ରୁ ୪୦ ଜଣ ରୋଗୀ ଆସିଥାନ୍ତି ବୋଲି ଫାର୍ମାସିଷ୍ଟ ସ୍ମୃତିରଞ୍ଜନ ସ୍ୱାଇଁ କହିଛନ୍ତି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ଚୁକ୍ତି ଭିତିକ ନିଯୁକ୍ତିରେ ଚାଲିଥିବାରୁ କେହି ଆସୁ ନ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ମେରାଇନ୍ ରୋଡ୍ ପାଶ୍ୱର୍ରେ ଅବସ୍ଥିତ।
ବହୁ ସମୟରେ ଦୁର୍ଘଟଣା ଘଟିଥାଏ। ଦୁର୍ଘଟଣା ରୋଗୀଙ୍କୁ ଭଗବାନଙ୍କ ବ୍ୟତୀତ ଆଉ କେହି ରକ୍ଷା କରି ପାରିବେ ନାହିଁ। ଯଦି ପାରାଦୀପ ଭଳି ଶିଳ୍ପ ନଗରୀର ଅବସ୍ଥା ଏହିଭଳି ତେବେ ଗାଁ ଗହଳିର ଅବସ୍ଥା କେଉଁ ଭଳି ଥିବ ଏଥିରୁ ଅନୁମେୟ। ଜିଲ୍ଲା ମୁଖ୍ୟ ଅଧିକାରୀ ଏଥିପ୍ରତି ତତ୍ପରତା ଦେଖାଇଲେ ହିଁ ଡାକ୍ତର ସମସ୍ୟା ଦୂର ହୋଇପାରନ୍ତା। ଏ ନେଇ ୧୪ ନମ୍ବର ୱାର୍ଡର ପରିଷଦ ମନୋଜ କୁମାର ନାୟକ କହିଛନ୍ତି ରାତିବେଳା ଯଦି କାହାର କିଛି ଅସୁବିଧା ହୁଏ ହେଲେ ଡାକ୍ତର ନାହାନ୍ତି। ସନ୍ଧ୍ୟାରୁ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇଯାଏ। ସାମାନ୍ୟ ଖଣ୍ଡିଆ ଖାବରା ହେଲେ ଡ୍ରେସିଂ ସୁବିଧା ନାହିଁ। ଡାକ୍ତର ନିଯୁକ୍ତି କରାଗଲେ ସାଧାରଣ ଲୋକେ ଚିକିତ୍ସା ସୁବିଧା ପାଇପାରନ୍ତେ ବୋଲି ଶ୍ରୀ ନାୟକ କହିଛନ୍ତି। ଏ ନେଇ ଅଧିକ ଜାଣିବା ପାଇଁ ସିଡିଏମ୍ଓ ଡ. ରାଜେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଜ୍ଞାପନ ବାହାରୁଛି କିନ୍ତୁ କେହି ଡାକ୍ତର ସାକ୍ଷାତକାରକୁ ଆସୁ ନାହାନ୍ତି। ଚୁକ୍ତି ଭିତିକ ଡାକ୍ତର ପଦବି ପାଇଁ କେହି ସାକ୍ଷାତକାରକୁ ଆସୁ ନଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଖୁବ୍ ଶୀଘ୍ର ପାରାଦୀପରେ ଏକ ସୁପର୍ ସ୍ପେସାଲିଷ୍ଟ ମେଡିକାଲ୍ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।