କୋରାପୁଟ: ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଂଚିଛି। କୋରାପୁଟ ବ୍ଲକ ମାଛରା ଜଙ୍ଗଲରେ କୁଳପ୍ରଥାକୁ ନେଇ ତମ୍ବୁ ପଡି ଭୋଜିଭାତର ଆସର ଚାଲିଥିଲା, ଟଙ୍କା ଗଣୁଥିଲେ କିଛି ବୟସ୍କ।
ଘଟଣାଟି କୁଳସମାଜ ପ୍ରତି ଯେତିକି ଚିନ୍ତା ଜନକ ନୁହେଁ, ସାମ୍ପ୍ରତିକ ପରିସ୍ଥିତିରେ କୁଳପ୍ରଥାକୁ ନେଇ ଏପରି ଘଟଣା ଚିନ୍ତା ବଢ଼ାଇଛି। ସୂଚନାଯୋଗ୍ୟ, ଜୟପୁର ସହର ଜଣେ ଯୁବକ ମହେଶ୍ୱର ଖିଲ ଅନ୍ୟ ଜାତିର ଝିଅ ଉର୍ମିଳା ଖଡାଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ। ସେମାନଙ୍କ ବିବାହକୁ ଦୁଇକୁଳ ରାଜି ହେଉ ନଥିଲେ।
ଅନ୍ୟ ଉପାୟ ନପାଇ ମହେଶ୍ୱର ଉର୍ମିଳାଙ୍କୁ ଧରି ବାହାରକୁ ପଳାୟନ କରିଥିଲେ। କୁଳ ସମାଜରେ ବୈଠକ କରି ନିଷ୍ପତି ନିଆଗଲା ଯେ, ମହେଶ୍ୱର ସମାଜ ଆଗରେ ଲଣ୍ଡା ହେବେ। କୁଳ ସମାଜକୁ ମାଂସଭାତ ଭୋଜି ଦେବେ। ତା’ ସହିତ ୯୦ ହଜାର ଟଙ୍କା ତଣ୍ଡ ଗଣିବେ। ନିଷ୍ପତି ଅନୁସାରେ ଆଜି ମାଛରା ନିକଟ ପାହାଡ଼ ପାଦଦେଶରେ ତମ୍ବୁ ଭିଡି ଭୋଜିଭାତ କରି ମହେଶ୍ୱରଙ୍କୁ ଲଣ୍ଡା କରାଗଲା। ଉର୍ମିଳାଙ୍କୁ ଗୃହ ପ୍ରବେଶର ଅନୁମତି ଦିଆଗଲା।
ଘଟଣାଟି ଉକ୍ତ ସମାଜ ପ୍ରତି ନୂଆ ନୁହେଁ ପୂର୍ବ ପୁରୁଷରୁ ଅନ୍ୟ ଜାତିର ଝିଅକୁ ବିବାହ କଲେ ଏପରି ନିୟମ ରହିଛି ଆଗକୁ ବି ରହିବ ବୋଲି କୁଳ ସମାଜର ବରିଷ୍ଠ ଲୋକମାନେ କହୁଥିବା ବେଳେ ଯୁବପିଢ଼ି ସମାଜ ବିରୋଧରେ ପାଟି ଫିଟାଇବାକୁ ଉଚିତ ମଣୁ ନାହାନ୍ତି।