କରୋନାର ହଟସ୍ପଟ ଆଇଆଇଟି ମାଡ୍ରାସ-shaksi news

ଚେନ୍ନାଇ: ଆଇଆଇଟି ମାଡ୍ରାସ ପାଲଟିଛି ମହାମାରୀ କରୋନାର ହଟସ୍ପଟ । ବର୍ତ୍ତମାନ ସୁଦ୍ଧା ଏଠାରେ ୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରେ ୬୬ ଜଣ ଶିକ୍ଷାର୍ଥୀ ରହିଛନ୍ତି। ଡିସେମ୍ବର ୧ରୁ କ୍ରମାଗତ ଭାବେ ସଂକ୍ରମଣ ବଢ଼ୁଥିବାରୁ କର୍ତ୍ତୃପକ୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ବିଭାଗ, ଲ୍ୟାବ ଓ ଲାଇବ୍ରେରୀକୁ ବନ୍ଦ କରିଦିଆଯାଇଛି।

ସେହିପରି ହଷ୍ଟେଲରେ ଥିବା ପିଲାମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ନିକଟରେ ଚୂଡ଼ାନ୍ତ ବର୍ଷର ପରୀକ୍ଷାର୍ଥୀଙ୍କ ପାଇଁ ଆଇଆଇଟିରେ ଗେଟ୍‌ ଖୋଲା ଯାଇଥିଲା। ଏହାପରେ ସେଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଡିସେମ୍ବର ୧ରେ ପ୍ରଥମେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଡିସେମ୍ବର ୧୦ରେ ଆଉ ୧୪ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିଲା। ଶୁକ୍ରବାର ଠାରୁ କ୍ୟାମ୍ପସକୁ ହଟସ୍ପଟ ଭାବେ ଘୋଷଣା କରାଯିବା ସହ ଆଉ ୫୫ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।

ସଂକ୍ରମଣକୁ ନେଇ କର୍ତ୍ତୃପକ୍ଷ କହିଛନ୍ତି, କ୍ୟାମ୍ପସରେ ୭୭୪ ଜଣ ପିଲା ରହୁଥିଲେ। କରୋନାରେ ଆକ୍ରାନ୍ତ ଅଧିକାଂଶ ଛାତ୍ରଛାତ୍ରୀ କ୍ରିଷ୍ଣା ଓ ଯମୁନା ହଷ୍ଟେଲରେ ରହୁଥିଲେ। ଶନିବାର ହଷ୍ଟେଲରେ ଥିବା ପିଲାଙ୍କୁ ରୁମ ବାହାରକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଗେଷ୍ଟ ହାଉସରେ ଥିବା ଜଣେ ଫାକଲ୍ଟି ଓ ୪ ଜଣ ମେସ ଷ୍ଟାଫ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆଇଆଇଟି ମାଡ୍ରାସରେ କେମିତି ବ୍ୟାପିଲା, ସେକଥା ଜଣାପଡ଼ିନାହିଁ। କିନ୍ତୁ କ୍ୟାମ୍ପସରେ ଗୋଟିଏ ମେସ୍‌ କାର୍ଯ୍ୟକ୍ଷମ ଥିବାରୁ ଏଠାରେ ପ୍ରବଳ ଭିଡ଼ ହେଉଥିଲା। ଏଠାରୁ ହିଁ କରୋନା ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି।