ଭାସି ଯାଉଥିବା ଯୁବତୀ ମହାନଦୀରୁ ଉଦ୍ଧାର

ସମ୍ବଲପୁର, (ଏସ୍‌ ନ୍ୟୁଜ): ମହାନଦୀର ସମଲେଇ ଘାଟରୁ ଭାସିଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ସମ୍ବଲପୁର ଅଗ୍ନିଶମ ବିଭାଗ । ତାଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମଲେଇ ଘାଟରେ ମହାନଦୀ ଗର୍ଭରୁ ଜଣେ ମହିଳାଙ୍କ ଚିକ୍ରାର ଶୁଣିବାକୁ ପାଇ କିଛିଲୋକ ନିକଟକୁ ଯାଇ ଦେଖିଥିଲେ । ଜଣେ ଯୁବତୀ ମହାନଦୀ ଗର୍ଭରେ ଏକ ବୁଦା ଓ ପଥର ସନ୍ଧିରେ ଅଟକି ଚିକ୍ରାର କରୁଥିବା ଦେଖିବାକୁ ପାଇ ତୁରନ୍ତ ଯୁବତୀଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ପ୍ରୟାସ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସମ୍ଭବତଃ ଯୁବତୀ ଜଣକ ମହାନଦୀର ପ୍ରଖର ଜଳସ୍ରୋତରେ ଭାସି ଯାଉଥିବା ବେଳେ ଦୈବାଦ୍‌ କୌଣସି ମତେ ଉକ୍ତ ପଥର ସାହାଯ୍ୟରେ ବୁଦାମୂଳେ ଅଟକି ରହି ସେଠାରୁ ବାହାରିବାକୁ ଚେଷ୍ଟାକରି ସୁଦ୍ଧା ଜଳସ୍ରୋତର ପ୍ରଖରତା ହେତୁ ବାହାରିବାରେ ବିଫଳ ହେଉଥିଲେ । ଅପର ପକ୍ଷରେ ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଯୁବତୀଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ସେ ନଦୀଗର୍ଭସ୍ଥ ପ୍ରଖର ସ୍ରୋତରେ ଫସିରହି ଦୀର୍ଘ ଦୁଇଘଣ୍ଟା ଧରି ବଞ୍ଚିବାକୁ ସଂଘର୍ଷ କରିଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ପାର୍ବତୀ ସେଠ୍‌ ବୋଲି ପରିଚୟ ମିଳିଛି । ସେ ସମ୍ବଲପୁରରେ ରହନ୍ତି । ସେ ସମ୍ବଲପୁରରେ ପଣ୍ଡିତ ଲକ୍ଷ୍ମୀନାରାୟଣ ଲେନରେ ଏକ ମେସରେ ରହି ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିର ପଢ଼ୁଛନ୍ତି । ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ସ୍ରୋତରେ ଭାସିଯାଉଥିଲେ ଓ ନଦୀ ଗର୍ଭରେ ଦୀର୍ଘ ୨ ଘଣ୍ଟା ଫସି ରହିଥିଲେ ବୋଲି ଯୁବତୀ ଜଣକ ନିଜେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି ।