ମାଲକାନାଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା: ପ୍ରଥମ ଦିନରେ ୪୨୬ ଚିକିତ୍ସିତ

ମାଲକାନଗିରି ଜିଲ୍ଲାରେ ପହଂଚିଛନ୍ତି ….

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପହଂଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ ଟିମ୍‌। ବୁଧବାର ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ପହଂଚିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଆସିଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏହି ବିଶେଷଜ୍ଞ ଦଳ। ବୁଧବାର ଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ।

ବୁଧବାର ଦିନ ମୋଟ ୪୨୬ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଏହି ବିଶେଷଜ୍ଞ ଟିମରେ ସିନିୟର ସର୍ଜରି ଡ. ଜ୍ୟୋତିପ୍ରକାଶ ବିଶ୍ୱାଳ, ଇଣ୍ଡକ୍ରନଲୋଜି ଡ. ଶାମଲି ମିଶ୍ର, ନ୍ୟୁରୋଲୋଜି ଡ. ସତୀଶ ରଂଜନ ଲେଙ୍କା, ନେପ୍ରୋଲଜି ଡ. ବିସେଶ୍ୱର ରାଉତ, କାର୍ଡିଓଲୋଜି ଡ. ବିଶ୍ୱ ବିକାଶ ମିଶ୍ର, ଗାଷ୍ଟ୍‌ରୋଏଂଟେରୋଲୋଜି ଡ. ରିତିକ କୁମାର ଦାସ ମହାପାତ୍ର, ଆନାସ୍ଥେସିଆ ଡ. ହେମନ୍ତ କୁମାର ଦାସ ପ୍ରମୁଖ ପହଂଚି ରୋଗୀଙ୍କୁ ସେବା ଯୋଗାଉଥିବା ମେଡିକାଲ ଏଡିଏମଓ ଡ. ନିହାର ରଂଜନ ପ୍ରହରାଜ କହିଛନ୍ତି।

କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ୭୮ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ, ଗେଷ୍ଟ୍‌ରୋଲୋଜି ଡାକ୍ତର ୮୯ ଜଣ ରୋଗୀ, ନ୍ୟୁରୋଲୋଜି ୯୧ ଜଣ, ସର୍ଜରି ଡାକ୍ତର ୩ ଜଣ ରୋଗୀଙ୍କୁ, ଇଣ୍ଡକ୍ରନଲୋଜି ଡାକ୍ତର ୭୩ ରୋଗୀଙ୍କୁ ଏବଂ ନ୍ୟୁପ୍ରୋଲଜି ମେଡିସିନ ଡାକ୍ତର ୯୫ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ଜଣାପଡିଛି। ଗୁରୁବାର ପୁଣି ୬ ଜଣ ପ୍ରଫେସର ଏବଂ ବିଶେଷଜ୍ଞ ଦଳ ବିମାନରେ ମାଲକାନଗିରି ପହଂଚିବେ ବୋଲି ଜଣାପଡିଛି। ତେବେ ସମସ୍ତ ଡାକ୍ତରଙ୍କୁ ଚିକିତ୍ସା ଏବଂ ବିଭିନ୍ନ ପରୀକ୍ଷାରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. ନିହାର ରଂଜନ ପ୍ରହରାଜ ସହଯୋଗ କରିଥିଲେ।