ମାଲକାନଗିରି: ମାଲକାନଗିରି ପୁଲିସ ଗଂଜେଇ ତେଲ ପ୍ରସ୍ତୁତ କାରଖାନା ଉପରେ ଚଢାଉ କରି ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏସ୍ପି ବିନୋଦ ପାଟିଲ ଏଚ ଏ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରି କହିଛନ୍ତି, ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଂଚାୟତର ଏକ ଜଂଗଲରେ ଏହି କାରଖାନା ରହିଥିଲା। ଗଂଜେଇ ତେଲକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଉଥିଲା। ବିଦେଶକୁ ରପ୍ତାନୀ କରାଯାଉଥିଲା।
ଗିରଫ ୪ ଜଣ ଅଭିଯୁକ୍ତଙ୍କ ଭିତରୁ ଦୁଇଜଣ ଆନ୍ଧ୍ରପ୍ରଦେଶର ବୋଲି ପୁଲିସ କହିଛି। ଜବତ ହୋଇଥିବା ୨ କିଲୋ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି। ଏଥିସହ ଲକ୍ଷାଧିକ ଟଂକାର କେମିକାଲ, ଆଇରନ ମେସିନ, ପ୍ରେସର କୁକର, ସିଲିଣ୍ଡର, ଗ୍ୟାସ ବର୍ନର, ଆଇରନ କମ୍ପ୍ରୋସେର, ପାଇପ, ପ୍ଲାଷ୍ଟିକ ଡ୍ରମ ଇତ୍ୟାଦି ମଧ୍ୟ ପୁଲିସ ଜବତ କରିଛି। ଗଜେଇ ମାଫିଆଙ୍କଠାରୁ ୩୦ କିଲୋ ଗଂଜେଇ ମଧ୍ୟ ଜବତ କରାଯାଇଛି। ତଦନ୍ତ ଚାଲିଥିବାରୁ ଅଭିଯୁକ୍ତ ଚାରିଜଣ ଗଂଜେଇ ମାଫିଆଙ୍କ ପରିଚୟ ଗୁପ୍ତ ରଖାଯାଇଥିବା କୁହାଯାଇଛି।
ପ୍ରକାଶ ଥାଉକି, ୨୦୨୫ ନଭେମ୍ବର ମାସରେ ପୁଲିସ ପ୍ରାୟ ୭ କୋଟି ଟଂକାର ଗଂଜେଇ ତେଲ ଜବତ କରିଥିଲା। ସେହିଦିନଠାରୁ ପୁଲିସ ଏହାର କାରଖାନାକୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଥିଲା। ଜଣାଯାଇଛି, ୫୦ କିଲୋ ଗଂଜେଇରୁ ୧ କିଲୋ ଗଂଜେଇ ତେଲ ପ୍ରସ୍ତୁତ ହୁଏ। ଯାହାର ବଜାର ଦର ଅଧିକା ରହିଛି।
ପ୍ରକାଶ ଥାଉକି ଆଜି ପର୍ଯ୍ୟନ୍ତ ୬୨ କିଲୋ ଗଂଜେଇ ତେଲ ଜବତ ହେଲାଣି। ଯାହାର ଆନୁମାନିକ ମୂଲ୍ୟ ୭ କୋଟି ୫୦ ଲକ୍ଷ ଟଂକା ହେବ।
ଗତ ବର୍ଷ ୩୧ ଟନ୍ ଗଂଜେଇ ଜବତ କରାଯାଇଥିବା ବେଳେ ୨୦୨୪ ମସିହାରେ ୨୨ ଟନ୍ ଗଂଜେଇ ଜବତ କରାଯାଇଥିଲା। ଏଥିସହ ୨୦୨୫-୨୬ ମସିହାରେ ୧୨୮୨ ଏକର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୁଲିସ କହିଛି। ପୁଲିସ ଜନସାଧାରଣଙ୍କ ଅପିଲ କରିଛନ୍ତି ଯେ ଗଂଜେଇ ଚାଷ,ଗଂଜେଇ ଚାଲାଣ ଏବଂ ଗଂଜେଇ ତେଲ ପ୍ରସ୍ତୁତ କରୁଥିବା ସ୍ଥାନ ଏବଂ ଆସାମୀମାନଙ୍କ ସଂପର୍କରେ ହେଲପ ଲାଇନ ନମ୍ବର ୯୪୩୮୯୧୧୬୯୭୨ ନମ୍ବରରେ ଜଣାଇପାରିବେ।