ଖଇରପୁଟ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଜିଲ୍ଲାର ପୋଲମପଲ୍ଲୀ ଥାନା ଅନ୍ତର୍ଗତ ଜଂଗଲରେ ମାଓବାଦୀଙ୍କ ଉପସ୍ଥିତି ସଂପର୍କରେ ପୁଲିସକୁ ସୂଚନା ମିଳିଥିଲା। ସୁକମାର ଡିଆରଜି ଯବାନ ସେହି ଅଂଚଳକୁ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ।
ରବିବାର ସକାଳୁ ଯବାନକୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଉଦ୍ଧାର କରାଯାଇଛି। ମୃତ ନକ୍ସଲ ଜଣକ ପିପିସିଏମ ସଦସ୍ୟ ମାଚାକି କୈଳାଶ। କୈଳାଶ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। କୈଳାଶ ନାମରେ ବହୁ କେସ ରହିଥିବା ପୁଲିସ କହିଛି।
ସରକାରଙ୍କ ଟାର୍ଗେଟକୁ ଆଉ ମାତ୍ର ୩ ଦିନ ସମୟ ରହିଥିବା ବେଳେ ନକ୍ସଲ ବନ୍ଧୁକ ନଛାଡି ମୃତ୍ୟୁକୁ ଆପଣେଇଛନ୍ତି। ଏବେ ବି ପୁଲିସ ଜଂଗଲରେ ବୁଲୁଥିବା ନକ୍ସଲଙ୍କୁ ସମୟ ଦେଉଛି ତୁରନ୍ତ ଶେଷ ସମୟ ସୀମା ପୂର୍ବରୁ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାନ୍ତୁ।