ବିକାଶ ସ୍ରୋତକୁ ଫେରୁଛି ମାଓବାଦୀ ଦୁର୍ଗ ବଡ଼ିଗେଟା

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ବଡିଗେଟା ….

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ବଡିଗେଟା ପଂଚାୟତ। ଏକଦା ଏହି ପଂଚାୟତ ମାଓନେତାଙ୍କ ଅଭେଦ୍ୟ ଦୁର୍ଗ ଥିଲା। ପଂଚାୟତ ଅଧୀନରେ ଥିବା ଅନେକ ଗାଁରୁ ୩୦ରୁ ଅଧିକ ମାଓନେତା ସୃଷ୍ଟି ହୋଇଥିଲେ। ସେମାନଙ୍କ ଭିତରୁ ୧୫ ଜଣ ଆତ୍ମସର୍ମପଣ କରି ସାରିଥିବା ବେଳେ କେତେକ ପୁଲିସ ଏନ୍‌କାଉଂଟରରେ ମରିଛନ୍ତି। ଏବେ ସୁଦ୍ଧା ଟପ୍‌ ମାଓନେତା କଷା ସୋଡି ଓରଫ୍‌ ଶୁକ୍ରୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଛି। ମାଓ ଗତିବିଧି କମିବା ପରେ ଧୀରେ ଧୀରେ ବିକାଶ ସ୍ରୋତକୁ ଫେରିବା ଆରମ୍ଭ କରିଛି ବଡିଗେଟା। ପୂର୍ବରୁ ବଡିଗେଟା ପଂଚାୟତରେ ମାଓବାଦୀଙ୍କ ସମାନ୍ତରାଳ ଶାସନ ଚାଲିଥିଲା। ପ୍ରଶାସନିକ ଅଧିକାରୀ ତ ଦୂରର କଥା, ଭୟରେ କେହି ଯିବାକୁ ସାହସ କରିପାରୁ ନଥିଲେ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ମାଓବାଦୀ ପଂଚାୟତ କାର୍ଯ୍ୟାଳୟକୁ ଉଡାଇ ଦେଇଥିବାରୁ ଉନ୍ନୟନମୂଳକ କାମ ବନ୍ଦ ହୋଇଯାଇଥିଲା।

ପଂଚାୟତରେ ଥିବା ୧୧ଟି ୱାର୍ଡରୁ ୮ଟି ୱାର୍ଡରେ ରହିଛି ବଡିଗେଟା, କୁରୁବୁ, ମାରିଗେଟା, ଟେକଗୁଡା କଲୋନି, ଟେକଗୁଡା (ଏ), ଟେକଗୁଡା (ବି), ଗନ୍ଧିଗୁଡା ଓ କୁତୁବନପାଲୀ ପରି ଆଦିବାସୀ ବହୁଳ ଗାଁ। ଅବଶିଷ୍ଟ ୩ଟି ୱାର୍ଡରେ ବଙ୍ଗୀୟ ଗ୍ରାମ ରହିଛି। ମାଓବାଦୀଙ୍କ ଆଧିପତ୍ୟ କାରଣରୁ ୱାର୍ଡରେ ନିର୍ବାଚନ ନ ହୋଇ ଚୟନ ହେଉଥିଲା। ୨୦୧୭ରେ ପ୍ରଥମ ଥର ଲାଗି ପଂଚାୟତ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ଅଂଚଳବାସୀ। ୨୦୧୫ ପରଠାରୁ ମାଓ ଗତିବିଧି କମିବା ପରେ ଧୀରେ ଧୀରେ ବିକାଶ ମୁହାଁ ହୋଇଥିଲା ବଡିଗେଟା। ଏକ ଟିଣ ଛପର ଘରେ ପଂଚାୟତ କାର୍ଯ୍ୟାଳୟ ଚାଲିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ସମସ୍ତ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଛୁଇଁଛି। ବସୁଧା ଯୋଜନାରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହୋଇଛି।

ମାରିଗେଟା ଗାଁରେ ମୋବାଇଲ୍‌ ଟାୱାର ସ୍ଥାପନ ହୋଇଥିଲେ ମଧ୍ୟ ୪-ଜି ନେଟ୍‌ୱର୍କ ନ ଥିବାରୁ ଇଂଟରନେଟ୍‌ ସେବାରୁ ବଂଚିତ ହୋଇଛନ୍ତି ଅଂଚଳବାସୀ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସଭିଁଏ ନିର୍ଭରଶୀଳ। ବିକାଶମୁହାଁ ବଡିଗେଟାରେ ନକ୍ସଲଙ୍କ ଉପଦ୍ରବ କମିଥିଲେ ମଧ୍ୟ ଅନେକ ଗ୍ରାମରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ମୂକସାକ୍ଷୀ ହୋଇ ଛିଡା ହୋଇଛି। ବଡିଗେଟା ପଂଚାୟତର କୁରୁବୁ ଗ୍ରାମରେ କଷା ସୋଡି ଓରଫ୍‌ ଶୁକ୍ରୁ, ଟେକଗୁଡା କଲୋନିର ବୁଦ୍ରା କବାସୀ ଓରଫ୍‌ ଶୁକଦେବ ପରି ଅନେକ ମାଓନେତା ଜନ୍ମ ନେଇଛନ୍ତି।
ବୁଦ୍ରା କବାସୀ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ କଷା ସୋଡି କନ୍ଧମାଳରେ ସକ୍ରିୟ ଅଛି।
ପୁଲିସ ଏନ୍‌କାଉଂଟରରେ ରମେଶ, ଶଙ୍କର, ରଣଦେବ, ଭୀମା ପରି ଦୁର୍ଦ୍ଦାନ୍ତ ମାଓନେତାଙ୍କର ମୃତ୍ୟୁ ହୋଇଛି।