ଭୁବନେଶ୍ୱର,(ଏସ୍ ନ୍ୟୁଜ) : ୨୦୧୨ ମସିହାରେ ଜଣେ ସେଟେଲମେଂଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୂସପଂତିକୁ ଭୁଲବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଦୀର୍ଘ ୯ ବର୍ଷ ଧରି ନିଜର ଭିଟାମାଟି, ଘରଡିହ ଓ ଜମିଜମାକୁ ପୁନଶ୍ଚ ନିଜ ନାମରେ ଫେରାଇ ଆଣିବା ପାଇଁ ଆମେ ସଂଘର୍ଷ କରି ଆସୁଛୁ, ମାତ୍ର ରାଜ୍ୟ ସରକାର ଆମର ଦୁଃଖକୁ ଶୁଣୁନାହାନ୍ତି ବୋଲି ଆଜି ଗୁଆଝର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି ।
ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା,
ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶ୍ରୀଜଗନ୍ନାଥଙ୍କ ନାମରେ ଆମର ପୈତୃକ ଭୂସଂପତି ଭୁଲ୍ ବଶତଃ ପରିବର୍ତିତ ହୋଇଯିବା ଫଳରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନତିମୂଳକ ଯୋଜନାର ଅର୍ଥ ଆମ ସ୍କୁଲଘର, ଖେଳପଡିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି, ମଶାଣୀ ପ୍ରଭୃତି କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି । ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଅନୁରୋଧ ଏବଂ ବିଧାନସଭାରେ ପ୍ରଶ୍ନ ଉଠାଇଲେ ମଧ୍ୟ କୌଣସି ସୁଫଳ ମିଲିଲା ନାହିଁ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ, ଡେଭଲପମେଂଟ କମିଶନରଙ୍କ ଦୃଷ୍ଟିକୁ ମୁଁ ନିଜେ ବ୍ୟକ୍ତିଗତ ଭାବେ ଅନେକ ଥର ଆଣିଛି । ସିଧାସଳଖ ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ଆମ ସମସ୍ୟାର ସମାଧାନ ନହେଲେ ନବୀନ ନିବାସ ଆଗରେ ସମୂହ ଆତ୍ମାହୁତି ଦେବୁ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ଏ ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କଲେ । ମାତ୍ର ଏହି କୋର୍ଟ ଏବେ କହୁଛନ୍ତି ଯେ ଏଥିରେ କ୍ଷତିଗ୍ରସ୍ତ ସମସ୍ତ ବ୍ୟକ୍ତି କୋର୍ଟଙ୍କ ନିକଟରେ ଜଣ ଜଣ କରି ଦରଖାସ୍ତ କରିବେ । ମାତ୍ର ଆମର ଦାବି ଏହିକି ଯେ ଯେଉଁ ଗୋଟିଏ ଅର୍ଡରରେ ଆମ ସମସ୍ତଙ୍କର ଭୂସଂପତି ଜଗନ୍ନାଥଙ୍କ ନାମରେ ପରିବର୍ତିତ ହୋଇଗଲା ସେହିପରି ଗୋଟିଏ ଅର୍ଡର କରାଯାଇ ଉକ୍ତ ଭୂସଂପତିକୁ ଆମ ନାମରେ ପରିବର୍ତନ କରାଯାଉ ।
ଯଦି ସରକାର ଆମ କଥାକୁ ବିଚାର ନକରନ୍ତି ତେବେ ଆଗାମୀ ମାର୍ଚ୍ଚ ୧ ତାରିଖ ଦିନ ନିଜର ପୈତୃକ ଭିଟାମାଟି ଓ ଜମିବାଡି ପାଇଁ ଆମେ “ସଚିବାଳୟ (ଲୋକସେବା ଭବନ)କୁ ଘେରାଉ” କରିବୁ ବୋଲି ନିଷ୍ପତି ଗ୍ରହଣ କରିଛୁ । ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଅନ୍ୟ ପକ୍ଷରେ ମାର୍ଚ୍ଚ ୧ ତାରିଖର ଅନ୍ଦୋଳନରେ ଭୁବନେଶ୍ୱର / ଖୋର୍ଦ୍ଧାରେ ହୋଇଥିବା ୧୦ ହଜାର କୋଟିର ଜମି
ଦୁର୍ନୀତି ମଧ୍ୟ ଏକ ପ୍ରସଙ୍ଗ । ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ଗାଁ ମୁଣ୍ଡରେ ଥିବା ମୂଲ୍ୟବାନ ଜମିକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ଦଖଲ କରି ଶାଗମାଛ ଦରରେ ତାଙ୍କର କର୍ପୋରେଟ୍ ବନ୍ଧୁଙ୍କୁ ହସ୍ତାନ୍ତର କରିବା ପାଇଁ ଯେଉଁ ଚକ୍ରାନ୍ତ କରିଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଗ୍ରାମବାସୀମାନଙ୍କୁ ପୋଲିସ ବଳ ଲଗାଇ ଭୟଭୀତ କରାଯାଇ ଗାଁ ମୁଣ୍ଡରେ ଥିବା ମଶାଣି, ମେଳଣ ପଡିଆ, ଖେଳ ପଡିଆ ପ୍ରଭୃତିକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି ଏବଂ ସେହି ଜମି ସାଧାରଣ ଜନତାଙ୍କ ସ୍ୱାର୍ଥରେ ନୁହେଁ, ବରଂ ସରକାରୀ ଦଳକୁ ଅନୁଗୃହୀତ କରୁଥିବା ପୁଞ୍ଜିପତିମାନଙ୍କ ସ୍ୱାର୍ଥ ସାଧନ ପାଇଁ ଏହି ହିଟ୍ଲରୀ ଶାସନ ଚାଲୁଛି ।
ରାଜ୍ୟ ସରକାରଙ୍କର ଏହି ନିଷ୍ପତି ବିରୁଦ୍ଧରେ ଆମର ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ମନ୍ମଥ ରାଉତରାୟ, ଅଶୋକ ମଙ୍ଗରାଜ, ସଂଗ୍ରାମ ରାଉତରାୟ, ପ୍ରମୋଦ ହରିଚନ୍ଦନ, ଧନେଶ୍ୱର ରାଉତରାୟ, ବୃନ୍ଦାବନ ସାହୁ, ମାନସ ଆଚାର୍ଯ୍ୟ, ନୌସର ଅଲ୍ଲୀ, ମୋଷୁ ପରିଜା, ଜୟକୃଷ୍ଣ ମଲିଆ, ପ୍ରକାଶ ଜେନା, କଳିଙ୍ଗ ସାହୁ, କୋଇଲି ସୁବୁଦ୍ଧି, ବିବି ବଡଜେନା, ରଂଜିତ ପାତ୍ର, ସ୍ୱାଗତ କର, ହୁସେନ୍ ରାୟ, ପ୍ରକାଶ ମିଶ୍ର, ଅନନ୍ତ ବେହେରା, ଜଟାଧାରୀ ପ୍ରଧାନ, ବିଷ୍ଣୁ ସାହୁ, ସୁଧାଂଶୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ମନୋରଞ୍ଜନ ବଟୁ ପ୍ରମୁଖ ଉପସ୍ଥିତ ଥିଲେ ।