କଟକ : ଆସନ୍ତା ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ ପୂର୍ବରୁ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହୋଇଥିବାବେଳେ ଏବେ ସମ୍ମେଟିଭ-୨ ପରୀକ୍ଷା କରାଯିବ । ସେହିପରି ସମ୍ମେଟିଭ-୨ ପରୀକ୍ଷା ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ହେବ । ସେହିପରି ସେ କହିଛନ୍ତି ଯେ, ଯଦି ନିଜ ସ୍କୁଲରେ ପରୀକ୍ଷା ନହୋଇପାରେ ତେବେ ନିକଟବର୍ତ୍ତୀ ସ୍କୁଲରେ ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ରେଜଲ୍ଟ ନିର୍ଦ୍ଧାରଣ କରିବେ ।
ପ୍ରଥମ ପଦ୍ଧତିରେ ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ । ଦ୍ୱିତୀୟ ପଦ୍ଧତିରେ ସମ୍ମେଟିଭ-୨ର ମାର୍କ ୨ଗୁଣ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ, ସମ୍ମେଟିଭ-୧ର ୩୦ ପ୍ରତିଶତ, ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ ତାହା ଚୂଡାନ୍ତ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି । ସେହିପରି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ସରିବ । ପ୍ରତି ବିଷୟ ପାଇଁ ସମୟ ଅବଧି ଦୁଇ ଘଣ୍ଟା ରହିଥିବାବେଳେ କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ଦିଆଯିବ । ୮୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୩୦ ସଂକ୍ଷିପ୍ତ ଓ ୫୦ ଦୀର୍ଘ ଉତ୍ତରମୂଳକ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପାଇଁ ଛାତ୍ରଛାତ୍ରୀ ଓଏମଆର ସିଟରେ ପରୀକ୍ଷା ଦେବେ । ଦୀର୍ଘ ଉତ୍ତରମୂଳକର ଉତ୍ତର ବୁକଲେଟରେ ଦେବେ ବୋଲି ସୂଚନା ମିଳିଛି ।