କରୋନା ରୋଗୀଙ୍କ ସେବାରେ ‘ମେଡ୍ ରୋବୋ’

ଭୁବନେଶ୍ୱର(ଏସ ନ୍ୟୁଜ) : ଏଣିକି ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ, କରୋନା ସଂକ୍ରମଣର ଆଶଙ୍କା ବି କମିଯିବ । କାରଣ କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ‘ମେଡ୍ ରୋବୋ’ ।

ତେବେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଏଥିରେ ସଂକ୍ରମିତ ହେଉଛନ୍ତି । ଏନେଇ ଅନେକ ଡାକ୍ତର ଓ ନର୍ସ ନିଜର ପ୍ରାଣ ମଧ୍ୟ ହରାଇଲେଣି । ଡାକ୍ତର ଓ ନର୍ସ କରୋନା ରୋଗୀ ସଂସ୍ପର୍ଶରେ ନ ଆସି ସେମାନଙ୍କୁ ଚିକିତ୍ସା କରିବା ସହ ନିଜେ କିପରି ସୁରକ୍ଷିତ ରହିପାରିବେ ଏଥିପାଇଁ ପୂର୍ବତଟ ରେଳପଥ ବିକାଶ କରିଛି ‘ମେଡ୍ ରୋବୋ’ ।

ପୂର୍ବତଟ ରେଳପଥ ବିକାଶ କରିଥିବା ‘ମେଡ୍ ରୋବୋ’ , ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲୱେ ହସ୍ପିଟାଲରେ କାମରେ ଲଗାଇ ସଫଳତା ବି ପାଇଛି । ମେଡ୍ ରୋବୋ ହେଉଛି ପୂର୍ବତଟ ରେଳପଥର ଇନ୍-ହାଉସ୍ ସୃଜନଶୀଳ ଉତ୍ପାଦ । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଦେଶରେ ଡାକ୍ତର ଓ ନର୍ସଙ୍କ ସଂକ୍ରମଣ ମାମଲା ବଢ଼ିବା ପରେ ଏମିତି ଯୋଜନା ଉପରେ କାମ କରିଥିଲା ରେଳପଥ । ରେଳପଥର ଭାଇଜାଗ୍ ଡିଜେଲ ଲୋକୋ ସେଡ୍ ଏହାକୁ ବିକଶିତ କରିଛି।

ଏହି ଆପ୍ ଦ୍ୱାରା ପରିଚାଳିତ ମେଡ୍ ରୋବୋ ମୋବାଇଲ କିମ୍ବା ଡେସ୍କଟପ୍‌ରୁ ମନିଟର ହୋଇପାରୁଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା ରିମୋଟ ଦ୍ୱାରା ଚଲାଇ ପାରୁଛନ୍ତି ଏ ରୋବୋକୁ । ଫଳରେ ସେମାନଙ୍କୁ ବାରମ୍ବାର ପିପିଇ କିଟ୍ ପିନ୍ଧି ରୋଗୀ ପାଖକୁ ଯିବାକୁ ପଡ଼ୁନି ।

ଏଥିରେ ସ୍ପର୍ଶବିହୀନ ହ୍ୟାଣ୍ଡ ସାନିଟାଇଜ୍ ପାଇଁ ଅଛି ଅଟୋମେଟେଡ୍ ହ୍ୟାଣ୍ଡ ସାନିଟାଇଜର ୟୁନିଟ୍ । ରୋଗୀ ଶରୀରର ତାପମାତ୍ରା ମାପିବାକୁ ଖଞ୍ଜାଯାଇଛି ସେନ୍ସର ଭିତ୍ତିକ ଥର୍ମାଲ ସ୍କାନର । ରୋଗୀର ମୋବାଇଲ, ଚଷମା, ପେପର ଆଦିକୁ ସାନିଟାଇଜ୍ କରୁଛି ଏହାର ୟୁଭିସି ସାନିଟାଇଜର ବକ୍ସ। ରୋଗୀଙ୍କ ସହ ଡାକ୍ତର ଓ ନର୍ସଙ୍କ ଯୋଗାଯୋଗ ପାଇଁ ୩୬୦ ଡିଗ୍ରୀ ବୁଲିପାରୁଥିବା କ୍ୟାମେରା ଖଞ୍ଚାଯାଇଛି। ରୋଗୀଙ୍କ ନିକଟରେ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଲଗାଯାଇଛି ଦୁଇଟି ସ୍ୱତନ୍ତ୍ର ଷ୍ଟେନ୍ଲେସ୍ ଷ୍ଟିଲ ଟ୍ରେ। ସେନ୍ସର୍‌ଭିତ୍ତିକ ଥର୍ମାଲ ସ୍କ୍ରିନିଂ ଜରିଆରେ କରୋନା ରୋଗୀର ତାପମାତ୍ରା ମାପୁଛି ଏହି ରୋବୋ । ୧ କେଭି ଇନ୍‌ଭର୍ଟରେ ଚାଲୁଥିବା ମେଡ୍ ରୋବୋ ଲଗାତର ୬ ଘଣ୍ଟା କାମ କରିପାରୁଛି ।

ସବୁଠାରୁ ବଡ କଥା ହେଲା ମାତ୍ର ୪୧ ହଜାର ୮ ଶହ ଟଙ୍କାରେ ତିଆରି ରୋବୋ କରୋନା ଲଢ଼େଇରେ ଡାକ୍ତର, ନର୍ସ ଭଳି କରୋନା ଯୋଦ୍ଧାଙ୍କ ସହ ନିଜକୁ ସାମିଲ କରିଛି। ରୋଗୀ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟରେ ପାଚେରୀ ଭଳି ଛିଡ଼ା ହୋଇଛି। ଏହାର ସଫଳତାକୁ ଦେଖି ପୂର୍ବତଟ ରେଳପଥ ଖୁବ୍‌ଶୀଘ୍ର ଏହାକୁ ସମ୍ବଲପୁର ଓ ଖୋର୍ଦ୍ଧାସ୍ଥିତ ନିଜ ହସ୍ପିଟାଲରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।