କାମୁକ ପୁରୁଷଙ୍କୁ ମାୟାଜାଲରେ ଫସାଇ ଟଙ୍କା ରୋଜଗାର କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଦ୍ୱୈତନଗରୀ କମିଶନରେଟ୍ ପୁଲିସ । ମାତ୍ର ସଂପୃକ୍ତ ମହିଳାଙ୍କ ସଙ୍ଗଲାଭ ପାଇଁ ପାଗଳପ୍ରାୟ ବ୍ୟବସାୟୀ, ରାଜନେତା, ପୁଲିସ କର୍ମଚାରୀଙ୍କୁ ନିରୀହ ଓ ଚରିତ୍ରବାନ୍ ସାର୍ଟିଫିକେଟ୍ ଦେଇ କମିଶନରେଟ୍ ପୁଲିସ ତା’ର ପାରିବାପଣିଆ ଦେଖାଇଛି । ସୂଚନା ମୁତାବକ ଭୁବନେଶ୍ୱର ସତ୍ୟବିହାର ଅଂଚଳରୁ ଅର୍ଚ୍ଚନା ନାୟକ ନାମ୍ନୀ ଜଣେ ମହିଳାଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଛି ।
ଅର୍ଚ୍ଚନାଙ୍କ ଦୋଷ ହେଉଛି ଯେ ସେ ନିଜକୁ ଓକିଲ ପରିଚୟ ଦେଇ ସୋସିଆଲ ମିଡିଆରେ ବହୁ ପୁରୁଷଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ । ସେହି ପୁରୁଷ ବନ୍ଧୁଙ୍କୁ ଘରକୁ ଡାକି ସେମାନଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ପୁରୁଷ ବନ୍ଧୁଙ୍କ ଅଜାଣତରେ ଗୋପନ ସଂପର୍କର ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରୁଥିଲେ । ପରେ ସମୟ ସୁଯୋଗ ଦେଖି ପୁରୁଷ ବନ୍ଧୁଙ୍କୁ ବ୍ଲାକମେଲିଂ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ।
ପ୍ରଶ୍ନ ଉଠୁଛି, ଅଭିଯୁକ୍ତ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା ପୁରୁଷମାନେ କ’ଣ ଏତେ ଚରିତ୍ରବାନ୍ ଥିଲେ ଯେ ସେମାନଙ୍କୁ ଦୋଷୀ ତାଲିକାରେ ରଖିବାକୁ କମିଶନରେଟ୍ ପୁଲିସଙ୍କ ବିବେକ କହିଲାନି । ସବୁ ଦୋଷ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ସଂପୃକ୍ତ ମହିଳାଜଣକ କୌଣସି ପୁରୁଷ ବନ୍ଧୁଙ୍କୁ ଶାରୀରିକ ସଂପର୍କ ପାଇଁ ଜୋର ଜବରଦସ୍ତ କରିଛନ୍ତି କି? ମହିଳାଜଣକ ପ୍ରଥମେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ପୁଲିସ ମହିଳାଙ୍କ ଅଭିଯୋଗକୁ ପଛକୁ ପକାଇ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରତି ଅଭିଯୋଗକୁ ଅଗ୍ରାଧିକାର ଦେଇଥିଲା । ଅକ୍ଷୟ ପରିଜା ଜଣେ ଚରିତ୍ରବାନ୍ ପୁରୁଷ ବୋଲି ପୁଲିସ ପାଖରେ କିଛି ପ୍ରମାଣ ଅଛି କି? କେବଳ ଅକ୍ଷୟ ପରିଜା ନୁହନ୍ତି, ସଂପୃକ୍ତ ମହିଳାଙ୍କ ପ୍ରେମଜାଲରେ ଯେତେଜଣ ପୁରୁଷ ଫସି ଛଟପଟ ହେଉଥିବାର ଖବର ପୁଲିସ ପାଖରେ ଅଛି । ସେମାନଙ୍କ ଭିତରୁ କାହାରି ଚରିତ୍ର ଭଲ ନୁହେଁ । ଚରିତ୍ରବାନ୍ ପୁରୁଷ କେବେ କୌଣସି ନାରୀର ମାୟାଜାଲରେ ଫସନ୍ତି ନାହିଁ । କାମୁକ ପୁରୁଷମାନେ ହିଁ ସହଜରେ ନାରୀଟିର ରୂପଜାଲରେ ଫସି ଯାଆନ୍ତି ।
ନାରୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଲାଳାୟିତ ପୁରୁଷ ସମାଜକୁ ପୁଲିସ କ୍ଲିନ୍ଚିଟ୍ ଦେବା କେତେଦୂର ଯଥାର୍ଥ? କାମନାର ନିଅାଁରେ ଜର୍ଜରିତ ପୁରୁଷମାନେ କ’ଣ ଆଇନ ଆଗରେ ଅପରାଧୀ ନୁହନ୍ତି? କାମୁକ ପୁରୁଷଙ୍କୁ ବ୍ଲାକମେଲିଂ କରିବା ଆଇନ ଦୃଷ୍ଟିରେ ଅପରାଧ? ନାରୀର ଯୌବନକୁ ଟଙ୍କାରେ ତଉଲୁଥିବା କାମୁକ ପୁରୁଷ ଆଇନ ଆଖିରେ ଧୁଆମୁଗ? ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଏତେ ନିରୀହ ନୁହନ୍ତି ଯେ ଅଭିଯୁକ୍ତ ମହିଳା ତାଙ୍କ ହାତଗୋଡ଼ ବାନ୍ଧି ରାତି କଟାଇବା ପାଇଁ ବାଧ୍ୟ କରିଥିବେ? ତାଳି ଗୋଟିଏ ହାତରେ ବାଜେ ନାହିଁ ।
ଉଭୟ ଅର୍ଚ୍ଚନା ଓ ଅକ୍ଷୟ ଆଇନ ଆଗରେ ଦୋଷୀ । ପୁଲିସ ଅର୍ଚ୍ଚନାକୁ ଗିରଫ କରି ଅକ୍ଷୟଙ୍କୁ ଛାଡ଼ିଦେଇ ଠିକ୍ କରିନାହିଁ । ଅକ୍ଷୟ ପରିଜା ଭଳି ଲୋକମାନେ ଚଳଚ୍ଚିତ୍ର ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି? ଅଭିଯୁକ୍ତ ମହିଳା ଭିଡିଓ ତିଆରି କରି ବ୍ୟବସାୟ କରୁଛନ୍ତି? ଜଣେ ବ୍ୟବସାୟୀ ଆଉ ଜଣେ ବ୍ୟବସାୟୀ ଜାଲରେ ଏତେ ସହଜରେ ଫସିଗଲେ?