ଭୁବନେଶ୍ୱର : ୟୁନିଟ-୪ ସ୍ଥିତ ଅହମଦିୟା ମୁସଲିମ ଜମାତ୍ ଭୁବନେଶ୍ୱର ପକ୍ଷରୁ “ମସିହ ମଉଦ ଦିବସ ପାଳିତ ହୋଇଛି । ଅହମଦିୟା ମୁସଲିମ ଜମାତର ପ୍ରତିଷ୍ଠା ହଜରତ ମିର୍ଜା ଗୁଲାମ ଅହମଦଙ୍କ ଦ୍ଵାରା ୨୩ ମାର୍ଚ୍ଚ ୧୮୮୯ ମସିହାରେ ଏହି ସମ୍ପ୍ରଦାୟ ପ୍ରତିଷ୍ଠା ହୋଇଥିଲା । ଏଣୁ ସମଗ୍ର ବିଶ୍ୱରେ ଅହମଦିୟା ମୁସଲିମ ସଂପ୍ରଦାୟର ଅନୁଗାମୀ ୨୩ ମାର୍ଚ୍ଚକୁ ପ୍ରତିଷ୍ଠା ଦିବସ ରୂପେ ଏହାକୁ ପାଳନ କରିଥାନ୍ତି ।
ଆହୁରି ପଢ଼ନ୍ତୁ...
ଏହି ସଂଗଠନର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦଙ୍କ ପରଲୋକ ପରେ ଏହି ସଂଗଠନରେ ଖିଲାଫତ (ଉତ୍ତରାଧିକାରୀ ) ପ୍ରଥା ପ୍ରଚଳିତ ହୋଇଥିଲା । ବର୍ତ୍ତମାନ ଏହି ସଂସ୍ଥାର ପଞ୍ଚମ ଖାଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ତତ୍ତ୍ବାବଧାନରେ ଅହମଦିୟା ଜମାତ ବିଶ୍ୱର ୨୧୨ ରୁ ଊର୍ଦ୍ଧ୍ବ ଦେଶରେ ବିଶ୍ୱ ଶାନ୍ତି ଓ ଭାତୃଭାବ ସ୍ଥାପନ ତଥା ମାନବ ସେବା କ୍ଷେତ୍ରରେ ନିରନ୍ତର କାମ କରିଆସୁଛି ।
ଏହି ଅବସରରେ ଅହମଦିୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ପକ୍ଷରୁ ୟୁନିଟ -୪ ସ୍ଥିତ ମସଜିଦ ହମଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜନାବ ଡାକ୍ତର ଜହିରୁଦ୍ଦିନ ଖାନ ଅଧ୍ୟକ୍ଷତା କରିଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭ ପବିତ୍ର କୁରାନର ପାଠରୁ କରାଯଇଥିଲା । ପରେ ଉର୍ଦ୍ଦୁକବିତା ଆବୃତି କରାଯାଇଥିଲା । ଏହି ଅବସରରେ ଅଲିମ୍ ଅହମଦ, ନାସିର ଅହମଦ ଖାନ, ନିଜାମୁଦ୍ଦିନ ଖାନ୍, ଶେଖ୍ ଅବଦୁଲ ହକିମ, ହୁମାୟୁଁ ଅକିଲ ଓ ମୁଖ୍ୟ ପ୍ରଚାରକ ଜନାବ ହଲିମ ଖାନଙ୍କ ଦ୍ୱାରା ମସିହ ମଉଦ ଦିବସ ପାଳନର ଉଦ୍ଦେଶ୍ୟ, ପ୍ରତିଶ୍ରୁତ ମସିହ ମଉଦଙ୍କ ସୁନ୍ଦର ଆଦର୍ଶ ଜୀବନୀ ସଂପର୍କୀତ ଭାଷଣ ଉପସ୍ଥାପିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୟଦ ତାହିର ଅହମଦ ଖାନ , ପରଭେଜ୍ ଅହମଦ,ଶମିମ ଅହମଦ , ମୁବାରକ ଅହମଦ ଖାନ ,ଅବଦୁଲ ସଲାମ ଏବଂ ସୟଦ ଫିରୋଜ ଅହମଦ ପରିଚାଳନା ଓ ସହଯୋଗ କରିଥିଲେ ।