ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ବରିଷ୍ଠ ବିଜେଡ଼ି ନେତା ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ଯୋଗେ ଖବର ଦେଇଛନ୍ତି।

ପୂର୍ବରୁ ଦେବୀଙ୍କ ଡ୍ରାଇଭର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ନିଜକୁ ସଙ୍ଗରୋଧରେ ରଖିବା ସହ ନମୂନା ପରୀକ୍ଷା କରାଇଥିଲେ। ପରିବାର ଲୋକ ଏବଂ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ବିଧାୟକ ପଜିଟିଭ ବାହାରିଛନ୍ତି।

ଦେବୀ ଫେସବୁକରେ ଲେଖିଛନ୍ତି, ‘ମୋର ହୋଇଥିବା ଟେଷ୍ଟିଂର ଆନୁଷ୍ଠାନିକ କମ୍ୟୁନିକେସନରୁ କୋଭିଡ ପଜିଟିଭ ହୋଇଥିବା ଜଣାଯାଇଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି । ଡ୍ରାଇଭରଙ୍କୁ ହେବାପରେ କାଲିଠାରୁ ମୁଁ ସଂଗରୋଧରେ ଅଛି। ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା, ଅମ୍ଳଜାନ ମାତ୍ରା ଠିକ ଅଛି। କିନ୍ତୁ ମୁଁ ପୁରୁଣା ଡାଇବେଟିସ୍ ପିଡ଼ୀତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି।’

ଦେବୀଙ୍କ ସ୍ୱାସ୍ଥ୍ୟ ଠିକ ଥିବାବେଳେ ସେ ଜରୁରି କାମକୁ ଟେଲିଫୋନ କନଫେରେନ୍ସ ଜରିଆରେ କରୁଛନ୍ତି। ତେବେ ବର୍ତ୍ତମାନ କିଛିଦିନ ପାଇଁ ଛୋଟକଥାରେ ତାଙ୍କୁ ଯୋଗାଯୋଗ ନ କରିବାକୁ ଅନୁରୋଧ କରିଛନ୍ତି ବିଧାୟକ।

ସୂଚନାଯୋଗ୍ୟ, ମହାନଦୀରେ ବନ୍ୟା ଯୋଗୁଁ ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି। ବିଧାୟକ ନିଜେ ବନ୍ୟାସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିଥିବା ବେଳେ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରୁଛନ୍ତି।